ବୋଧାଙ୍କୁର

 

 

 

 

 

 

 

 

 

 

 

ବୋଧାଙ୍କୁର

ପଣ୍ଡିତ କପିଳେଶ୍ୱର ବିଦ୍ୟାଭୂଷଣ

 

ପଦାର୍ଥ

 

ଏହି ସଂସାର ମଧ୍ୟରେ ଯେତେ ପଦାର୍ଥ ଅଛି,ସେ ସମସ୍ତ ପରମେଶ୍ୱରଙ୍କ ରଚିତ, ତାହାଙ୍କ ବ୍ୟତିରେକେ ଆଉ କେହି ନୂତନ କରି ଏକ ପଦାର୍ଥ ରଚନା କରି ନ ପାରେ । ସେ ସପସ୍ତ ପଦାର୍ଥ ଦୁଇଭାଗରେ ବିଭକ୍ତ– ଚେତନ, ଅଚେତନ । ଯେଉଁ ସକଳ ପଦାର୍ଥର ପ୍ରାଣ ଅଛି ଏବଂ ସ୍ୱଇଚ୍ଛାରେ ଗମନାଗମନ କରିପାରନ୍ତି, ସେମାନଙ୍କୁ ଚେତନ ପଦାର୍ଥ ବୋଲାଯାଏ । ଯଥା– ମନୁଷ୍ୟ, ଗୋରୁ, ପକ୍ଷୀ, କୀଟ, ପତଙ୍ଗ ଇତ୍ୟାଦି । ଆଉ ଅଚେତନ ପଦାର୍ଥ ଦୁଇପ୍ରକାର– ସଜୀବ ଓ ନିର୍ଜୀବ । ଯେଉଁମାନେ ଜନ୍ମି କ୍ରମରେ ବୁଦ୍ଧି ପାନ୍ତି ଏବଂ ଶେଷରେ ବିନାଶ ପ୍ରାପ୍ତ ହୁଅନ୍ତି, ସେମାନଙ୍କୁ ସଜୀବ କହନ୍ତି । ଯଥା-ବୃକ୍ଷ, ଲତା ଇତ୍ୟାଦି । ଯେଉଁ ସମସ୍ତଙ୍କର ଜୀବନ ନାହିଁ, ଆଉ ଜନ୍ମ କି ବୁଦ୍ଧି ଅବା ବିନାଶ ଇତ୍ୟାଦି ନାହିଁ, ସେ ସମସ୍ତ ନିର୍ଜୀବ । ଯଥା– ଜଳ, ପ୍ରସ୍ତର, ମୃତ୍ତିକା, ଲୌହ, ସୁବର୍ଣ୍ଣ ଇତ୍ୟାଦି-

Image

 

ଚେତନ ପଦାର୍ଥ

 

ଚେତନ ପଦାର୍ଥମାନଙ୍କର ପ୍ରାଣୀ ବୋଲି ଏକ ନାମ ପ୍ରସିଦ୍ଧ ଅଛି । ପ୍ରାଣିମାନଙ୍କର ନାସିକା, କର୍ଣ୍ଣ, ଚକ୍ଷୁ, ଜିହ୍ୱା, ଚର୍ମ ଏହି ନାମରେ ପାଞ୍ଚ ଇନ୍ଦ୍ରିୟ ଅଛି, ଏହି ପାଞ୍ଚ ଇନ୍ଦ୍ରିୟଦ୍ୱାରା ପ୍ରାଣିମାନେ ଆଘ୍ରାଣ କରିବା, ଶ୍ରବଣ କରିବା, ଦର୍ଶନ କରିବା, ଆସ୍ୱାଦନ କରିବା, ଶୀତଳାଦି ଜାଣିବା ଇତ୍ୟାଦି ବିଷୟ ଅନୁଭବ କରନ୍ତି । ଯଥା-ନାସିକାଦ୍ୱାରା ଗନ୍ଧ, କର୍ଣ୍ଣଦ୍ୱାରା ଶବ୍ଦ, ଚକ୍ଷୁଦ୍ୱାରା ରୂପ, ଜିହ୍ୱାଦ୍ୱାରା ରସ, ଚର୍ମଦ୍ୱାରା ଶୀତଳ, ଉଷ୍ଣ ଏ ସମସ୍ତ ଜାଣି ପାରନ୍ତି । ଏହି ପାଞ୍ଚ ଇନ୍ଦ୍ରିୟ ପ୍ରାୟ ସମସ୍ତ ପ୍ରାଣିଙ୍କର ଅଛି ।

 

ପ୍ରାଣିମାନଙ୍କ ମଧ୍ୟରେ ମନୁଷ୍ୟ ସର୍ବପ୍ରଧାନ । ଆଉ ମନୁଷ୍ୟଙ୍କୁ ପରମେଶ୍ୱର ଯେପରି ବୁଦ୍ଧିଶକ୍ତି ଏବଂ ବିଚାରଶକ୍ତି ଦେଇ ଅଛନ୍ତି, ଆଉ କୌଣସି ପ୍ରାଣିଙ୍କି ସେପରି ଦେଇ ନାହାନ୍ତି । ମାତ୍ର ସମସ୍ତ ପ୍ରାଣିମାନଙ୍କର ଖାଇବା, ପିଇବା, ଚାଲିବା, ବୁଲିବା ଇତ୍ୟାଦି ବିଷୟର ଯଥାରୂପ ଜ୍ଞାନ ଓ ବିଚାର ଅଛି । ଦେଖ, ଗୋରୁଆଦି ପଶୁମାନେ ଘାସ କୁଟା ଇତ୍ୟାଦି ଭକ୍ଷଣ କରନ୍ତି ଏବଂ ବ୍ୟାଘ୍ର କୁକ୍କୁର ଇତ୍ୟାଦି ପଶୁମାନେ ମାଂସ ଭକ୍ଷଣ କରନ୍ତି, ଆଉ ମାଂସ ଭକ୍ଷଣ କରିବା ପଶୁ ଘାସ ଖାଏ ନାହିଁ, କି ତୃଣ ଭକ୍ଷଣ କରିବା ପଶୁ ମାଂସ ଭକ୍ଷଣ କରେ ନାହିଁ । ଏହି ଜ୍ଞାନ ପ୍ରାୟ ସମସ୍ତ ପ୍ରାଣିଙ୍କର ଅଛି; କେବଳ ମନୁଷ୍ୟମାନଙ୍କର ଯେପରି ହିତ, ଅହିତ, ନିନ୍ଦା, ପ୍ରଶଂସା ଇତ୍ୟାଦି ବିଷୟରେ ବିଚାର ହୁଏ, ସେପରି ଅନ୍ୟ ପ୍ରାଣିମାନଙ୍କର ହୁଏ ନାହିଁ, ଏହିଯୋଗୁଁ ମନୁଷ୍ୟ ବିନା ଆଉ ସମସ୍ତ ପ୍ରାଣିମାନଙ୍କୁ ପଶୁ ବୋଲାଯାଏ ।

 

ପ୍ରାଣିମାନଙ୍କର ସକଳ ଇନ୍ଦ୍ରୟମାନେ ସୁସ୍ଥ ଥିଲେ ସେ ଇନ୍ଦ୍ରିୟମାନଙ୍କ କାର୍ଯ୍ୟ ଉତ୍ତମରୂପେ ଚଳେ, ଯେବେ କୌଣସି ଇନ୍ଦ୍ରିୟର କିଛି ବିକୃତି ଥାଏ, ତେବେ ସେ ଇନ୍ଦ୍ରିୟର କାର୍ଯ୍ୟ ଉତ୍ତମରୂପେ ହୋଇ ନ ପାରେ । ଯେପରି କି କାହାର ଚକ୍ଷୁରେ କୌଣସି ରୋଗ ଜନ୍ମି ସେ ଚକ୍ଷୁକୁ ଦୂଷିତ କରିଦେଲେ ତହିଁରେ ଆଉ କିଛି ଦୃଶ୍ୟ ହୁଏ ନାହିଁ । ଯାହାର ଏକଚକ୍ଷୁ ନ ଥାଏ, ସେ କଣା । କଣା ବ୍ୟକ୍ତି ଦର୍ଶନ କରି ପାରେ, ମାତ୍ର ତାହାକୁ ଏକପାର୍ଶ୍ୱ ଦିଶିଲେ ଅନ୍ୟପାର୍ଶ୍ୱ ଦିଶେ ନାହିଁ । ଯାହାର ଦୁଇ ଚକ୍ଷୁ ନ ଥାଏ, ସେ ଅନ୍ଧ । ଅନ୍ଧ କିଛିମାତ୍ର ଦର୍ଶନ କରି ନ ପାରେ ଏବଂ ଜଣେ ତାକୁଧରି ନେଲେ ସେ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ଯାଏ, ନତୁବା ଆପଣା ଇଚ୍ଛାରେ ଗମନ କଲେ କୌଣସିଠାରେ ପଡ଼ିଯାଏ । ଅନ୍ଧ ହେବାର ବଡ଼ ଦୁଃଖ । ସେହିପରି ଯାହା କର୍ଣ୍ଣରେ କିଛି ରୋଗ ହୁଏ, ସେ ଶବ୍ଦ ଶୁଣି ନ ପାରେ; ତାହାକୁ କାଲ ବୋଲନ୍ତି । ନାସିକାରେ କିଛି ରୋଗ ଜନ୍ମିଲେ ସୁଗନ୍ଧ ଦୁର୍ଗନ୍ଧ କିଛି ଜଣା ନ ଯାଏ । ଜିହ୍ୱାର ବିକୃତିହେତୁରୁ ମନୁଷ୍ୟ କଥା କହିପାରେନାହିଁ । ଯେଉଁମାନେ କଥା କହି ନ ପାରନ୍ତି, ସେମାନଙ୍କୁ ଖନା ଅବା ମୂକ ବୋଲାଯାଏ । ଏହିପରି ଇନ୍ଦ୍ରିୟମାନଙ୍କର ବିକୃତିଯୋଗରୁ ଏହିପରି ଅନିଷ୍ଟମାନ ଜନ୍ମେ । ଇନ୍ଦ୍ରିୟମାନେ ସ୍ୱଚ୍ଛ ଥିଲେ ସେପରି କୌଣସି ଅନିଷ୍ଟ ଘଟେ ନାହିଁ ।

 

ମନୁଷ୍ୟର ଦୁଇ ହସ୍ତ ଏବଂ ଦୁଇ ପାଦ । ଦୁଇପାଦରେ ଚାଲିବା ବୁଲିବା ଇତ୍ୟାଦି ଏବଂ ଦୁଇ ହସ୍ତରେ ଭୋଜନାଦି ଦ୍ରବ୍ୟମାନଙ୍କର ନେବା ଆଣିବା ଇତ୍ୟାଦି କ୍ରିୟା କରାଯାଏ ।

 

ମନୁଷ୍ୟର ଅଙ୍ଗ ଦୁଇ ଭାଗରେ ବିଭକ୍ତ, ସେ ଦୁଇ ଭାଗର ନାମ ଦକ୍ଷିଣ ଏବଂ ବାମ । ଦକ୍ଷିଣହସ୍ତରେ ଭୋଜନାଦି ଉତ୍ତମ କ୍ରୟା କରାଯାଏ, ଆଉ ବାମହସ୍ତରେ ଶୌଚାଦି କ୍ରିୟା କରାଯାଏ-। ସେହି ଦୁଇ ଅଙ୍ଗକୁ ଭାଷାରେ ଖାଇବାଅଙ୍ଗ ଓ ଡେବିରିଅଙ୍ଗ ବୋଲି ସାଧାରଣରେ କହନ୍ତି ।

 

ମନୁଷ୍ୟମାନଙ୍କର କର୍ତ୍ତବ୍ୟ ଏହି ଯେ, ବାଲ୍ୟବସ୍ଥାରେ ବିଦ୍ୟାଶିକ୍ଷା କରିବେ । ବିଦ୍ୟାଶିକ୍ଷା ଉତ୍ତମରୂପେ କରିଥିଲେ ସମସ୍ତ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଶଂସ୍ୟ ହୋଇ ଚିରକାଳ ସୁଖଭୋଗ କରାଯାଏ ଏବଂ ରାଜା ଆଦି ପ୍ରଧାନ ଲୋକମାନେ ବିଦ୍ୟାବନ୍ତ ଲୋକକୁ ସମାଦର କରନ୍ତି । ବିଦ୍ୟାବନ୍ତ ଲୋକ ହୀନଜାତି ହେଉ କିବା ଉତ୍ତମଜାତି ହେଉ, ସେ ଅବଶ୍ୟ ମାନ୍ୟ ହୁଏ ; ଆଉ ଯେଉଁ ମନୁଷ୍ୟ ବିଦ୍ୟାଶିକ୍ଷା ନ କରେ ସେ ଉତ୍ତମଜାତି ହେଉ ଅବା ପ୍ରଧାନଲୋକର ସନ୍ତାନ ହେଉ, ତାକୁ ମୂର୍ଖ ବୋଲି ସମସ୍ତେ ଅନାଦର କରନ୍ତି । ମୂର୍ଖଲୋକ ଚିରକାଳପର୍ଯ୍ୟନ୍ତ ହିତ ଅହିତ ଜଣି ନ ପାରିବାରୁ ଦୁଃଖଭୋଗୀ ହୁଏ । ଅତଏବ ମନୁଷ୍ୟମାନଙ୍କର ଅବଶ୍ୟ ବିଦ୍ୟାଶିକ୍ଷା କର୍ତ୍ତବ୍ୟ ।

 

ମନୁଷ୍ୟମାନଙ୍କର ପିତାମାତାଙ୍କୁ ଭକ୍ତି କରିବାର ଆବଶ୍ୟକ । ପିତା ଅବା ମାତା ଯେଉଁ ଆଜ୍ଞା କରନ୍ତି, ସନ୍ତାନ ତାହା ପ୍ରତିପାଳନ କରିବ ଆଉ ତାଙ୍କ ମନରେ ଦୁଃଖ ଦେବ ନାହିଁ । ଦେଖ, ପିତା ମାତା ପୁତ୍ର ଜନ୍ମହେଲାଦିନୁ କି ପର୍ଯ୍ୟନ୍ତ ଆନନ୍ଦିତ ହୋଇ ତାହାକୁ ପ୍ରତିପାଳନ କରନ୍ତି, ଦୁଗ୍ଧାଦି ପୃଷ୍ଟିକର ପଦାର୍ଥ ଭୋଜନ କରାଇ ପୁତ୍ରକୁ ବଢ଼ାନ୍ତି ଆଉ ପୁତ୍ରର ଜ୍ଞାନ ହେବା ନିମିତ୍ତ ଧନ ବ୍ୟୟ କରି ଉତ୍ତମ ଶିକ୍ଷକ ନିକଟରେ ବିଦ୍ୟାଶିକ୍ଷା କରନ୍ତି । ଏପରି ଯତ୍ନ କରି ମନରେ ବିଚାର କରନ୍ତି କି ଏ ପୁତ୍ର ଆମ୍ଭର ଯୋଗ୍ୟ ହେଲେ ଆମ୍ଭମାନଙ୍କର ବୃଦ୍ଧାବସ୍ଥାରେ ପ୍ରତିପାଳନ କରିବ ଏବଂ ପୁତ୍ରଯୋଗୁଁ ଆମ୍ଭେମାନେ ଅତି ସୁଖ ଲାଭ କରିବୁଁ । ବିଚାର କର, ଯେବେ ପିତା ମାତା ବାଲ୍ୟାବସ୍ଥାରେ ପୁତ୍ରକୁ ପ୍ରତିପାଳନ କରିବାରେ ହେଳା କରୁଥାନ୍ତେ, ତେବେ କି ସେ ପୁତ୍ରର ପ୍ରାଣ ରହନ୍ତା ? ଏହା ନିଶ୍ଚୟ ଅସମ୍ଭବ । ଏହି ସମସ୍ତ କାରଣରୁ ପିତା ମାତା ପର ହିତକାରୀ ଏବଂ ପରମ ସୁଖଦାତା । ଏହିଯୋଗୁଁ ତାଙ୍କ ଆଜ୍ଞାକୁ ପ୍ରତିପାଳନ କରି, ସେମାନଙ୍କଠାରେ ଭକ୍ତି ରଖି, ସେମାନଙ୍କୁ ଶେଷାବସ୍ଥାରେ ପ୍ରତିପାଳନ କରିବାର କର୍ତ୍ତବ୍ୟ ବୋଲି ଜାଣିବ । ଯେବେ ସେମାନେ କୌଣସି ଅପମାନ ପାଇ ପୁତ୍ରଠାରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ପୁତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଅତିଶୟ ନିନ୍ଦନୀୟ ଏବଂ ପରମେଶ୍ୱରଙ୍କ ନିକଟରେ ଦୋଷୀ ବୋଲି ଗଣନୀୟ ହୁଏ ଏବଂ ଅନ୍ତକାଳରେ ଅପାର ଦୁଃଖ ଭୁଞ୍ଜେ ।

 

ମନୁଷ୍ୟମାନେ ଏକାକୀ ହୋଇ ରହିବାକୁ ସୁଖ ପାନ୍ତି ନାହିଁ । ଆପଣାର ମାତା, ପିତା, ଭ୍ରାତା, ଭଗିନୀ, ବନ୍ଧୁ ଓ କୁଟୁମ୍ୱ ଏମାନଙ୍କ ସହିତ ବାସ କରନ୍ତି । ମନୁଷ୍ୟମାନେ ଯେଉଁଠାରେ ବାସ କରନ୍ତି, ତାହାକୁ ଗ୍ରାମ ବୋଲାଯାଏ, ସେହି ଗ୍ରାମ ବଡ଼ ହେଲେ ଏବଂ ଅନେକ ଲୋକର ବାସ ହେଲେ ନଗର ବୋଲାଏ । ଯେଉଁଠାରେ ରାଜା କିବା ରାଜକର୍ମଚାରୀ ବାସ କରନ୍ତି ଏବଂ ରାଜକାର୍ଯ୍ୟ ବୁଝାଯାଏ, ତାକୁ ରାଜଧାନୀ ବୋଲାଯାଏ । ଯେପରି ଓଡ଼ିଶାର ରାଜଧାନୀ କଟକ ।

 

ମନୁଷ୍ୟମାନେ ପରିଶ୍ରମପୂର୍ବକ ଭୂମି କର୍ଷଣ କରି ତହିଁରେ ଧାନ, ଗହମ, ମୁଗ ଇତ୍ୟାଦି ଶସ୍ୟ କରି ତାହାର ଫଳ ପାକ କରି ଭୋଜନଦ୍ୱାରା ପ୍ରାଣ ରକ୍ଷା କରନ୍ତି; ଆଉ ମଧ୍ୟ ମକା, କାକୁଡ଼ି, ନାରଙ୍ଗ, ଲେମ୍ୱୁ, ପିଜୁଡ଼ି, ଆତ ଇତ୍ୟାଦି କେତେକ ଫଳ ଅଛି ଯେ ତାହା ମନୁଷ୍ୟମାନଙ୍କର ଖାଦ୍ୟ ପଦାର୍ଥସ୍ୱରୁପ ବ୍ୟବହୃତ ହୁଏ । ଆଖୁ ଏକ ପ୍ରକାର ମଧୁରରସାତ୍ମକ ପଦାର୍ଥ, ତହିଁରୁ ଗୁଡ଼, କନ୍ଦ, ମିଶ୍ରି ଇତ୍ୟାଦି ନାନା ପଦାର୍ଥ ପ୍ରସ୍ତୁତ ହୁଏ । ଏହିପରି ଅନେକ କୃଷି କରି ମନୁଷ୍ୟମାନେ ମହାସୁଖରେ କାଳ ହରଣ କରନ୍ତି ।

Image

 

ପଶୁ ଓ ପକ୍ଷୀ

 

ପଶୁମାନଙ୍କର ଚାରି ପାଦ ଅଛି ଆଉ ହସ୍ତ ନାହିଁ । ସେହି ପାଦମାନଙ୍କରେ ସେମାନେ ଚାଲନ୍ତି ଓ ଧାଆଁନ୍ତି । ପଶୁମାନଙ୍କର ଦେହଯାକ ରୋମରେ ପରିପୂର୍ଣ୍ଣ ଓ ପଶ୍ଚାଭାଗରେ ଏକ ଲାଙ୍ଗୁଳ ଅଛି । ପଶୁମାନେ ମୁଖରେ ତୁଣ, ବୃକ୍ଷର ପତ୍ର ଇତ୍ୟାଦି ଆହାର କରି ପ୍ରାଣ ରକ୍ଷା କରନ୍ତି, ଏଣୁ ପଶୁମାନଙ୍କୁ ତୃଣାଶୀ ବୋଲାଯାଏ ।

 

ବ୍ୟାଘ୍ର, ଶୃଗାଳ ଏପରି କେତେକ ପଶୁ ଅଛନ୍ତି ଯେ ସେମାନେ ଅନ୍ୟ ପ୍ରାଣିର ମାଂସ ଭକ୍ଷଣ କରି ପ୍ରାଣ ଧାରଣ କରନ୍ତି, ଏମାନଙ୍କୁ ମାଂସାଶୀ ବୋଲାଯାଏ । ବ୍ୟାଘ୍ର ଏକ ପଶୁ ସେ ସ୍ୱୟଂ ଯାହାକୁ ବଧ କରେ, ତାହାରି ମାଂସ ଭକ୍ଷଣ କରେ, ଆଉ ଅନ୍ୟ ବଧ କଲା ପ୍ରାଣିର ମାଂସ ଗ୍ରାସ କରେ ନାହିଁ । ଶୃଗାଳ ପ୍ରଭୃତି ପଶୁମାନେ ଆପଣା ବଧ କଲା ଜନ୍ତୁର ହେଉ କିବା ଅନ୍ୟ ବଧ କଲା ଜନ୍ତୁର ହେଉ, ମାଂସ ଆହାର କରି ପ୍ରାଣ ଧାରଣ କରନ୍ତି । ବ୍ୟାଘ୍ର, ଶୃଗାଳ, ହରିଣ, ଗଣ୍ଡା ଇତ୍ୟାଦି ପଶୁମାନେ ବନରେ ବାସ କରନ୍ତି ବୋଲି ଏମାନଙ୍କୁ ବନ୍ୟପଶୁ ବୋଲାଯାଏ । ଆଉ ଯେଉଁ ପଶୁମାନେ ଗ୍ରାମରେ ମନୁଷ୍ୟମାନଙ୍କ ସଂସର୍ଟରେ ରହନ୍ତି, ସେମାନଙ୍କୁ ଗ୍ରାମ୍ୟପଶୁ ବୋଲାଯାଏ । ଯଥା-ଗୋ, ଅଶ୍ୱ, ହସ୍ତୀ, କୁକ୍କୁର, ମାର୍ଜାର ଇତ୍ୟାଦି ।

 

ଗୋରୁ ଏକ ପଶୁ ଯେ ସେ ମନୁଷ୍ୟମାନଙ୍କର ବଡ଼ ଉପକାରୀ । ଦେଖ, ଗୋରୁମାନଙ୍କ ଯୋଗେ ଭୂମି କର୍ଷଣଦ୍ୱାରା ଶସ୍ୟ ଉତ୍ପନ୍ନ ହୁଏ ଏବଂ ଗାଇମାନଙ୍କଠାରୁ ଦୁଗ୍ଧପ୍ରାପ୍ତି ହୁଏ । ଅତଏବ ଗୋରୁମାନଙ୍କୁ ଦଣ୍ଡ ଦେବାର ଉଚିତ ନୁହେ । ସେମାନଙ୍କୁ ଊତ୍ତମରୂପେ ଖାଇବାକୁ ଦେବ ଏବଂ ଉତ୍ତମ ସ୍ଥାନରେ ରଖିବ । ଏହା ନ କଲେ ଅତି ଅଧର୍ମ ହୁଏ ।

 

ମର୍କଟ ପଶୁ ମଧ୍ୟରେ ଗଣ୍ୟ । ମର୍କଟଙ୍କର ଦୁଇ ପାଦ, ଦୁଇ ପାଦ, ଦୁଇ ହସ୍ତ ଅଛି, ମାତ୍ର ଚାଲିବାବେଳେ ସମସ୍ତ ପଶୁମାନଙ୍କ ପ୍ରାୟ ପାଦ ଓ ହସ୍ତରେ ଭାଗ ଦେଇ ଚାଲନ୍ତି, ଆଉ ସେହିପରି ବୃକ୍ଷପତ୍ର, ଫଳ ଇତ୍ୟାଦି ଭକ୍ଷଣ କରି ପ୍ରାଣ ରକ୍ଷା କରନ୍ତି । ସେମାନେ ଅନ୍ୟାନ୍ୟ ପଶୁଙ୍କ ଅପେକ୍ଷା ଅଧିକ ଡେଇଁ ପାରନ୍ତି ।

 

ପଶୁମାନେ ମନୁଷ୍ୟ ପରି ପ୍ରକାଶ୍ୟରୂପେ କଥା କହି ପାରନ୍ତି ନାହିଁ । କେବଳ ଏବ ପ୍ରକାର ଶବ୍ଦ କରନ୍ତି, ସେ ଶବ୍ଦ ଶୁଣି ସେହି ପଶୁମାନେ ପରସ୍ପର ଭାବ ବୁଝି ପାରନ୍ତି । ସେହି ଶବ୍ଦକୁ ଭାଷାରେ ବୋବାଇବା କହନ୍ତି । ପଶୁମାନେ ମଧ୍ୟ ମନୁଷ୍ୟମାନଙ୍କ ପୋଷ ମାନି ସଙ୍ଗରେ ରହନ୍ତି । କୁକ୍କୁର ଏକ ପଶୁ ଯେ, ସେ ଆପଣା ପାଳକ ସ୍ୱାମିର ପୋଷ ମାନି ତାହା ସଙ୍ଗେ ଗୋଡ଼ାଇ ଥାଏ ଏବଂ ରାତ୍ରରେ ଉନ୍ନିଦ୍ର ରହି ସ୍ୱାମିର ଗୃହକୁ ଜଗି ରହେ, ଯେବେ ଚୋର ଆଦି କେହି ଆସନ୍ତି, ତେବେ ଶବ୍ଦ କରି ସ୍ୱାମିକି ଜାଗରିତ କରାଏ; ଏହିପରି ଅନେକ କାର୍ଯ୍ୟରେ ଉପକାରକ ହୁଏ, ଏହିଯୋଗୁଁ କୁକ୍କୁରକୁ ଗୃହିମାନଙ୍କର ପାଳିବାର ଉଚିତ ।

Image

 

ପକ୍ଷୀ

 

ପକ୍ଷିଜନ୍ତୁ ଅନେକ ପ୍ରକାର ଅଛନ୍ତି । ପକ୍ଷିମାନଙ୍କର ଦେହଯାକ ଲୋମ ଏବଂ ପକ୍ଷରେ ଆଚ୍ଛନ୍ନ; ଆଉ ପକ୍ଷିମାନଙ୍କ ଦୁଇପାର୍ଶ୍ୱରେ ବୃହତ୍‌ ବୃହତ୍‌ ଦୁଇଗୋଟି ପକ୍ଷ ଅର୍ଥାତ୍‌ ଡେଣା ଅଛି, ସେହି ଡେଣାଦ୍ୱୟରେ ପବନ ଉପରେ ଭାର ଦେଇ ସେମାନେ ଅନେକଦୂର ଉଚ୍ଚକୁ ଉଡ଼ିଯାନ୍ତି । ଏହିପରି ଆକାଶମାର୍ଗରେ ଉଡ଼ି ପାରିବାରୁ ଏମାନଙ୍କର ବିହଙ୍ଗମ ବୋଲି ଗୋଟିଏ ନାମ ଅଛି । ମଧ୍ୟ କେତେକ ପକ୍ଷୀ ଅଳ୍ପଦୂର ଉଡ଼ି କୌଣସି ସ୍ଥାନରେ ଆଶ୍ରା ନିଅନ୍ତି, ଯେହେତୁ ସେମାନେ ବହୁଦୂରକୁ ଉଡ଼ି ପାରନ୍ତି ନାହିଁ । ଯଥା- ଘରଚଟିୟା, କୁହ୍ମାଟୁଆ ଇତ୍ୟାଦି । କୁକ୍କୁଟ ଏକ ପକ୍ଷୀ ଯେ ସେ ନିତାନ୍ତ ଅଳ୍ପ ଉଡ଼ି ପାରେ, ଆଉ ଗ୍ରାମ୍ୟହଂସ ମଧ୍ୟ ସେହିପରି ପକ୍ଷିଜନ୍ତୁ ହେଲେହେଁ ବିଶେଷ ଉଡ଼ିପାରେ ନାହିଁ ।

 

ପକ୍ଷିମାନଙ୍କ ମଧ୍ୟରେ କାକ, ଘରଚଟିଆ, ପାରାବତ ଇତ୍ୟାଦି କେତେକ ପକ୍ଷିଙ୍କି ଗ୍ରାମ୍ୟପକ୍ଷୀ ବୋଲାଯାଏ, ଯେହେତୁ ଏମାନେ ଗ୍ରାମ ଛାଡ଼ି ଆଉ କାହିଁ ଯାନ୍ତି ନାହିଁ । ବକ, ମତ୍ସ୍ୟରଙ୍କା ଇତ୍ୟାଦି କେତେକ ପକ୍ଷୀ ଜଳ ଥିବା କ୍ଷେତ୍ରମାନଙ୍କରେ ଚରି ବୁଲି କୌଣସି ଗ୍ରାମନିକଟସ୍ଥ ବୃକ୍ଷମାନଙ୍କରେ ବସା କରି ରହନ୍ତି । ଗୃଧ୍ର ଏକ ପକ୍ଷୀ ଯେ, ସେ ସମସ୍ତ ମୃତପ୍ରାଣିର ମାଂସ ଭକ୍ଷଣ କରି ସେହିପରି ଗ୍ରାମନିକଟସ୍ଥ ବୃକ୍ଷମାନଙ୍କରେ ବସା କରି ରହେ । ଗୋବରା, ଶୁକ, ସାରୀ, ମୁନିଆ ଇତ୍ୟାଦି କେତେକ ବନ୍ୟପକ୍ଷିମାନଙ୍କୁ ମନୁଷ୍ୟମାନେ ଶ୍ରଦ୍ଧାରେ ଆସି ଗୃହମାନଙ୍କରେ ପିଞ୍ଜରା ମଧ୍ୟରେ ରଖି ପୋଷନ୍ତି । ତହିଁରୁ ଶୁକକୁ ପଢ଼ାଇଲେ ସେ ପଢ଼ି ମନୁଷ୍ୟ ପରି କଥା, ଗୀତ, ଶ୍ଳୋକ ମଧୁରସ୍ୱରରେ ପଢ଼େ, ମଧ୍ୟ ସାରୀ ସେହିପରି ପଢ଼େ । ଆଉ ଗୋବରା ମୁନିଆ ଚଡ଼େଇ ଆପଣା ଜାତି ପକ୍ଷୀ ସଙ୍ଗରେ ଯୁଦ୍ଧ କରନ୍ତି । ଏହିପରି ନାନା କୌତୁକ ଦେଖିବା ନିମିତ୍ତ ମନୁଷ୍ୟମାନେ ଏମାନଙ୍କୁ ପୋଷନ୍ତି ।

 

କପୋତ ବୋଲି ଏକ ପକ୍ଷୀ ଅଛି ଯେ, ସେ ଶୀତକାଳରେ ସୁମଧୁର ସ୍ୱରରେ ବୋବାଏ, ତାହା ଶୁଣି ମନୁଷ୍ୟମାନେ ଆନନ୍ଦିତ ହୁଅନ୍ତି । ବସନ୍ତ କାଳରେ କୋକଳ, ବର୍ଷା ସମୟରେ ମୟୁର, ଡାହୁକ ମଧ୍ୟ ଏହିପରି ମଧୁର ସ୍ୱରରେ ବୋବାଇ ମନୁଷ୍ୟମାନଙ୍କୁ ମୋହିତ କରନ୍ତି । କୋକିଳ ଦେଖିବାକୁ କୃଷ୍ଣବର୍ଣ୍ଣ କାକ ପ୍ରାୟ, ଆଖି ରଙ୍ଗବର୍ଣ୍ଣ, ଆକୃତିରେ କିଛି ବଡ଼ ନୁହେ, ମାତ୍ର ମଧୁର ଶବ୍ଦ କରିବାରୁ ଆଦୃତ ହୁଏ । ଏମନ୍ତ ପ୍ରବାଦ ଅଛି ଯେ, କୋକିଳ ପକ୍ଷୀ ଆପଣା ଡିମ୍ୱକୁ ଆପେ ଫୋଡି ନ ଜାଣିବାରୁ ଲୁଚିକରି କାକ ବସାରେ ପଶି ତାହାର ଡିମ୍ୱଯାକ ପକାଇ ଦେଇ ଆପେ ଡ଼ିମ୍ୱ ବୁଝି ପ୍ରତିପାଳନ କରେ । ଡିମ୍ୱରୁ ଛୁଆ ହୋଇ ଉଡ଼ି ପାରିଲାରୁ ବାହାରିଯାଏ, ଏହି କାରଣରୁ ତାହାକୁ ପରପୁଷ୍ଟ ବା କାକପାଳିତ ବୋଲାଯାଏ । ବାସ୍ତବରେ କୋକିଳ ଏ ଦେଶର ପକ୍ଷୀ ନ ଥିବାର ସମ୍ଭବ ହୁଏ; ଯେହେତୁ ତାକୁ କେବଳ ବସନ୍ତଋତୁରେ ଦେଖାଯାଏ । ଏହିପରି ରାଜହଂସ ପ୍ରଭୃତି କେତେକ ପକ୍ଷୀ ଅଛନ୍ତି ଯେ, ଋତୁଭେଦରେ ଏକ ଏକ ଦେଶକୁ ଗମନ କରନ୍ତି ।

 

ପ୍ରାଣିମାନଙ୍କ ମଧ୍ୟରେ କେତେକ ଜଳଚର, କେତେକ ସ୍ଥଳଚର ଏବଂ କେତେକ ଉଭୟଚର ଅଟନ୍ତି । ମତ୍ସ୍ୟ, କଚ୍ଛପ, ଜଳୌକ ଇତ୍ୟାଦି କେତେକ ଜୀବ ଜଳଚର ଅର୍ଥାତ୍‌ ଜଳରେ ସର୍ବଦା ଥାନ୍ତି । ସର୍ପ, ଭେକ ଇତ୍ୟାଦି କେତେକ ଜୀବ ଉଭୟଚର ଅର୍ଥାତ୍‌ ଜଳରେ ଏବଂ ସ୍ଥଳରେ ରହନ୍ତି । କୁକ୍କୁଟ, କୁହ୍ମାଟୁଆ, କାକ ଇତ୍ୟାଦି ଅନେକ ଜୀବ ସ୍ଥଳଚର ଅର୍ଥାତ୍ ସ୍ଥଳ ବିନା ଜଳକୁ ଯାନ୍ତି ନାହିଁ ।

 

ହଂସ, ବେଙ୍ଗ ଇତ୍ୟାଦି ପାଦଥିଲା ଜନ୍ତୁମାନେ ଜଳରେ ପହଁରନ୍ତି । ତାହାର କାରଣ ଏହି ଯେ ସେମାନଙ୍କର ପାଦର ଆଙ୍ଗୁଠି ସନ୍ଧିମାନଙ୍କରେ ଚର୍ମ ଥାଇ ସବୁ ଆଙ୍ଗୁଠି ଏକତ୍ର ଲାଗିଥାଏ । ଆଉ ସାପ, ଯୋକ ଇତ୍ୟାଦିମାନଙ୍କର ପାଦ ନ ଥିଲେହେଁ ଏମାନେ ଆପଣା ଦେହ ବଳରେ ପାଣିରେ ପହଁରନ୍ତି । କଚ୍ଛପ, କର୍କଟ, କୁମ୍ଭୀର ଇତ୍ୟାଦିମାନେ ପାଣି ଭିତରେ ଥାନ୍ତି, ମାତ୍ର ବହୁତ ପହଁରି ନ ପାରିବାରୁ କେବେ କେବେ ଉପରକୁ ଉଠି ପହଁରନ୍ତି, ଆଉ ସବୁବେଳେ ପାଣି ଭିତରେ ବୁଡ଼ି ରହିଥାନ୍ତି । ଏ ସବୁ ଜଳଚର ଜନ୍ତୁମାନେ ଅନ୍ୟାନ୍ୟ ଜୀବମାନଙ୍କୁ ଖାଇ ପ୍ରାଣଧାରଣ କରନ୍ତି । ମତ୍ସ୍ୟମାନେ ମଧ୍ୟ ସେହିପରି ପାଣି ମଧ୍ୟରେ ରହି ଆପଣାଠାରୁ କ୍ଷୁଦ୍ର କ୍ଷଦ୍ର ମତ୍ସ୍ୟ କିମ୍ୱା ଅନ୍ୟ ପୋକମାନଙ୍କୁ ଖାଇ ପ୍ରାଣ ରଖନ୍ତି ।

Image

 

କୀଟ,ପତଙ୍ଗ

 

କୀଟ ନାମରେ ଏକ ପ୍ରକାର ଜୀବ ଅଛନ୍ତି; ସେ ନାନାପ୍ରକାର । ଯଥା-ଉକୁଣି, ଓଡ଼ସ, ଉଇ, ପିମ୍ପୁଡ଼ି, କୃମି ଇତ୍ୟାଦି । ସେମାନଙ୍କ ମଧ୍ୟରେ ବୃହତ୍କୀଟର କ୍ଷୁଦ୍ରକୀଟ ଭୋଜ୍ୟ ପଦାର୍ଥ ଅଟେ ଏବଂ କେତେକ କୀଟ ମନୁଷ୍ୟାଦି ପ୍ରାଣିମାନଙ୍କର ରକ୍ତ ଖାଇ ବଞ୍ଚନ୍ତି । ଯଥା-ଉକୁଣି, ଓଡ଼ସ ଇତ୍ୟାଦି । ଆଉ କେତେକ କୀଟ ନାନାବିଧ ଖାଦ୍ୟଦ୍ରବ୍ୟ ଖୋଜି ଆଣି ବସାମାନଙ୍କରେ ସଞ୍ଚି ରଖିଥାନ୍ତି । ତହିଁ ମଧ୍ୟରୁ ସମୟ ସମୟରେ ଭୋଜନ କରି ପ୍ରାଣ ଧାରଣ କରନ୍ତି । ଯଥା-ଜନ୍ଦା, ପିମ୍ପୁଡ଼ି ଇତ୍ୟାଦି । ଉଇ ନାମରେ ଯେଉଁ କୀଟ, ସେ ଅତ୍ୟନ୍ତ ପରିଶ୍ରମୀ । ସେମାନେ ଦଳବଦ୍ଧ ହୋଇ ବାଲି ମାଟି ମୁଖଦ୍ୱାରା ବହି ନେଇ ଏଡ଼େ ବଡ଼ ବଡ଼ ଗୃହ ପ୍ରସ୍ତୁତ କରନ୍ତି ଯେ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଏ ଗୃହକୁ ହୁଙ୍କା ବୋଲାଯାଏ ।

Image

 

ପତଙ୍ଗ

 

ପତଙ୍ଗ ନାନାପ୍ରକାର ହୁଅନ୍ତି । ଯଥା-ମାଛି, ମଶା, ଡାଁଶ, ପୋତକ ଇତ୍ୟୀଦି । ମଶା, ଡାଁଶ ଏପରି କେତେକ ପତଙ୍ଗ ମନୁଷ୍ୟ, ଗୋରୁ ଇତ୍ୟାଦି ବଡ଼ ବଡ଼ ପ୍ରାଣୀମାନଙ୍କ ଦେହରୁ ରକ୍ତ ଖାଇ ପ୍ରାଣ ରକ୍ଷା କରନ୍ତି । ଆଉ ମାଛି ଆଦି ପତଙ୍ଗ ନାନାଦି ପଦାର୍ଥ ଖାଇ ଜୀବନ ରଖନ୍ତି । ଭ୍ରମର ବୋଲି ଏକ ପତଙ୍ଗ ଯେ, ସେ ସବୁ ଫୁଲମାନଙ୍କରୁ ମକରନ୍ଦ ଖାଇ ବଞ୍ଚେ । ପତଙ୍ଗମାନେ ଯେବେ ପ୍ରଜ୍ୱଳିତ ଅଗ୍ନିର ଆଲୋକ ଅବଲୋକନ କରନ୍ତି, ତେବେ ଆପଣା ପ୍ରାଣର ଆଶା ପରିତ୍ୟାଗ କରି ଶୀଘ୍ର ଆସି ସେହି ଅଗ୍ନିରେ ପଡ଼ି ପୋଡ଼ିଯାନ୍ତି । ଝିଣ୍ଟିକା ନାମରେ ଯେ ପତଙ୍ଗ, ସେ ଯେଉଁ ବୃକ୍ଷରେ ବସେ ସେ ବୃକ୍ଷର ପତ୍ର କଢ଼ ସବୁ କାଟି ଭକ୍ଷଣ କରେ ଅଥବା କାଟି ପକାଇଦିଏ । ଜୁଳୁଜୁଳଆପୋକ ବୋଲି ଏକ ପତଙ୍ଗ ରାତ୍ରିରେ ଉଡ଼ିଲାବେଳେ ତାହାର ପଶ୍ଚାଭାଗରେ ଏକ ଆଲୋକ ଦୃଶ୍ୟ ହୁଏ । ଏହି କାରଣରୁ ପିଲାମାନେ ସେ ପତଙ୍ଗ ଧରି ରଖିବାକୁ ବଡ଼ ଉତ୍ସୁକ ହୁଅନ୍ତି-; କିନ୍ତୁ କୌଣସି ଜନ୍ତୁକୁ କୌତୁକରେ ଧରି ରଖି ଦୁଃଖ ଦେବାର କଦାଚ ଭଲ ନୁହେଁ ।

 

ପକ୍ଷୀ, ସର୍ପ ଇତ୍ୟାଦି କେତେକ ଜୀବଙ୍କୁ ଅଣ୍ଡଜ ବୋଲାଯାଏ ଅର୍ଥାତ୍‌ ସେମାନଙ୍କର ପ୍ରଥମେ ଡିମ୍ୱ ଜନ୍ମ ହୁଏ, ସେ ଡିମ୍ୱକୁ କିଛି ଦିନ ପର୍ଯ୍ୟନ୍ତ ଯତ୍ନ କରି ରଖିଲା ଉତ୍ତାରୁ ତହିଁରୁ ଛୁଆ ବାହାରେ । ତହିଁ ଉତ୍ତାରୁ ଛୁଆ କ୍ରମେ ବଢ଼ି ଗତାୟାତ କରେ । ପ୍ରଥମରେ ଛୁଆ ଅତି କ୍ଷୁଦ୍ର ହୋଇଥିବା ସମୟରେ ଆପଣା ମାତା ଆହାରଦ୍ରବ୍ୟ ଆଣି ଛୁଆକୁ ଖାଇବାକୁ ଦିଏ । ସେହି ଆହାର ଖାଇ ସେ ସମୟରେ ଛୁଆ ପ୍ରାଣରକ୍ଷା କରେ । ପରେ ଆପଣାର ଗତାୟାତର ପରାକ୍ରମ ହେଲାରୁ ଆପେ ଯାଇ ଖାଦ୍ୟପଦାର୍ଥ ଖୋଜି ଖାଇ ପ୍ରାଣ ରକ୍ଷା କରେ ।

 

ମଶା, ଡାଁଶ ଇତ୍ୟାଦି କେତେକ ପତଙ୍ଗ ଏବଂ କୃମି ଆଦି କେତେ କୀଟଙ୍କୁ ସ୍ୱେଦଜ ବୋଲାଯାଏ, ଅର୍ଥାତ୍‌ ସେମାନେ ଉଷ୍ଣ ହେତୁରୁ ଗଛ, ପଥର, ପାଣି ଏମାନଙ୍କରୁ ଯେଉଁ ସ୍ୱେଦ ବା ଝାଳ ବହେ, ତହିଁରୁ ସେମାନେ ଜାତ ହୁଅନ୍ତି । ଦେଖ, ଏକ ହାଣ୍ଡିରେ କିମ୍ୱା ଆଉ କୌଣସି ସ୍ଥାନରେ ପାଣି କିଛି ରଖିଦେଇ ତାହା ଉପରେ ଆଚ୍ଛାକରି ଗୋଟିଏ ଢାଙ୍କୁଣି ଘୋଡ଼ାଇ ଦେବ ଯେ ତହିଁରେ ପବନ ନ ଲାଗିବ । ଏହିପରି କିଛିଦିନ ରଖି ତତ୍ପରେ ସେ ଢାଙ୍କୁଣିକି କାଢ଼ି ଦେଖିଲେ ସେ ପାଣି ଉପରେ ମଶା ଏବଂ ପାଣିରେ କୀଟ ଅବଶ୍ୟ ଜନ୍ମିଥିବେ । ଆଉ ମଧ୍ୟ କେତେ ପଦାର୍ଥ ଯତ୍ନରେ ରଖିଲେ ସୁଦ୍ଧା କିଛିଦିନ ପରେ ତହିଁରେ ପୋକ ହୋଇ ଯାଇଥିବାର ଦେଖାଯାଏ । ଏ ଅବସ୍ଥାରେ ସେ ପୋକ ସବୁ ଅନ୍ୟଠାରୁ ଆସିବାର ବୋଲାଯାଇ ନ ପାରେ । ସେହି ପଦାର୍ଥରୁ ଝାଳ ବୋହି ସେହି ଝାଳରୁ ସେମାନେ ଜନ୍ମନ୍ତି ।

 

ବୃକ୍ଷଲତା ଏମାନଙ୍କୁ ଉଦ୍ଭିଜ୍ଜ ବୋଲାଯାଏ; ଯେହେତୁ ସେମାନେ ଭୁମିକି ଉଦ୍ଭେଦ କରି ଅର୍ଥାତ୍‌ ଭେଦିକରି ବାହାରନ୍ତି ।

 

ସମସ୍ତ ପ୍ରାଣିମାନଙ୍କର ବଞ୍ଚିବା ବୟସ ସମାନ ନୁହେ । ଶାସ୍ତ୍ରକାରମାନେ ସ୍ଥିର କରିଅଛନ୍ତି ଯେ, ହାତୀ ୧୨୦ ବର୍ଷ, ଘୋଡ଼ା ୩୨ ବର୍ଷ, କୁକ୍କୁର ୧୨ ବର୍ଷ ଏବଂ ମନୁଷ୍ୟ ୧୨୦ ବର୍ଷ, କେହି ୧୦୮ ବର୍ଷ ଓ କେହି ୧୦୦ ବର୍ଷ ବଞ୍ଚନ୍ତି । କିନ୍ତୁ ଯେବେ ପ୍ରାଣିମାନେ ନିରୋଗୀ ଏବଂ ଖାଇବା ପିଇବା ଇତ୍ୟାଦିରେ ସୁଖୀ ଥାଇଁ ନିଶ୍ଚିନ୍ତରେ ରହନ୍ତେ ତେବେ ନିୟମିତ କାଳ ପର୍ଯ୍ୟନ୍ତ ବଞ୍ଚି ପାରନ୍ତେ । ଏହି ନିର୍ଦିଷ୍ଟ ସମୟ ମଧ୍ୟରେ କୌଣସି କଠିନ ରୋଗ ଘଟିବା କିମ୍ୱା ଖାଇବାକୁ ନ ମିଳିବା ଇତ୍ୟାଦି କାରଣମାନଙ୍କରୁ କାହାର କେତେବେଳେ ମୃତ୍ୟୁ ହେଉଅଛି, ତାହାର କିଛି ନିଶ୍ଚୟ ନାହିଁ । ଅତଏବ ପ୍ରାଣିମାନେ କିଏ କେତେ ଦିନ ବଞ୍ଚିବ, କାହାର କେଉଁ ଦିନ ମୃତ୍ୟୁ ହେବ, ଏହା କେହି ଜାଣନ୍ତି ନାହିଁ । ଏହି କାରଣରୁ ପ୍ରାଣିମାନେ ମରଣ ଆଶା ଛାଡ଼ି ଚିରକାଳ ଜୀଇ ରହିବା ଏହି ଭରସାରେ ସବୁବେଳେ ନାନା ଉପାୟରେ ଧାଇଁଥାନ୍ତି ।

Image

 

ଇନ୍ଦ୍ରିୟ

 

ଚକ୍ଷୁ ଅର୍ଥାତ୍‌ ଆଖିକି ଦର୍ଶନେନ୍ଦ୍ରିୟ କହନ୍ତି; ଆଖିଦ୍ୱାରା ସବୁ ଦେଖିବାକୁ ହୁଏ । ଆଖି ମଧ୍ୟରେ ଦର୍ପଣ ପ୍ରାୟ ଅତି ନିର୍ମଳ ଏକ ସ୍ଥାନ ଦେଖାଯାଏ । ତାହା ଉପରେ ଦେଖିବା ପଦାର୍ଥର ପ୍ରତିମା ଦିଶେ, ତାହାକୁ ତାରକା କହନ୍ତି, ସେହି ଥିବାରୁ ସବୁ ପଦାର୍ଥ ଦିଶେ । ଯେବେ ରୋଗବଶରୁ ତାହାର କିଛି ମଳିନତା ଜନ୍ମେ, ତେବେ ଆଖି ଥିଲେହେଁ କିଛି ଦିଶେ ନାହିଁ । ସେହିପରି କର୍ଣ୍ଣକୁ ଶ୍ରବଣେନ୍ଦ୍ରୟ କହନ୍ତି । ସେହି କାନ ଭିତରେ ଅତି ପାତଳ ଏକ ଖଣ୍ଡ ଚର୍ମ ଅଛି, କୌଣସି ଶବ୍ଦ ହେଲେ ତାହା ଯାଇ ସେହି ଚର୍ମରେ ବାଜିବାରୁ, ପ୍ରତିଧ୍ୱନିତ ହୋଇ ଶୁଣାଯାଏ । ଯେବେ କୌଣସି ରୋଗବଶରୁ ସେ ଚର୍ମ ଦୂଷିତ ହୋଇଯାଏ, ତେବେ ଆଉ କିଛି ଶୁଭେ ନାହିଁ । ନାସିକା ଅର୍ଥାତ୍‌ ନାକକୁ ଘ୍ରାଣେନ୍ଦ୍ରିୟ କହନ୍ତି; ନାକର ଅଗ୍ରଭାଗରେ ଏକଗୋଟି ଶିରା ଅଛି ଯେ ଯେଉଁ ପଦାର୍ଥ ସୁଙ୍ଘିବାକୁ ହୁଏ, ତାହାର ଗନ୍ଧ ସେହି ଶିରାରେ ପ୍ରବେଶ କରିବାରୁ ସୁଗନ୍ଧ ଦୁର୍ଗନ୍ଧ ଜଣାଯାଏ । ଯେବେ କୌଣସି କାରଣରୁ ସେହି ଶିରାର ଦୋଷ ଜନ୍ମିଯାଏ, ତେବେ ଆଉ ସୁଗନ୍ଧ ଦୁର୍ଗନ୍ଧ କିଛି ଜଣା ଯାଏ ନାହିଁ । ଜିହ୍ୱା ଅର୍ଥାତ୍‌ ଜିଭକୁ ରସନେନ୍ଦ୍ରିୟ ବୋଲାଯାଏ । ସେହି ଜିଭଦ୍ୱାରା ଅମ୍ଳ, ମଧୁର ଇତ୍ୟାଦି ରସମାନଙ୍କୁ ଜାଣିବାକୁ ହୁଏ । ଜିଭର ଅଗ୍ରରେ ଏକ ଶିରା ଅଛି ଯେ, ସେହି ଶିରାରେ କୌଣସି ରସ ଲାଗିଲା ମାତ୍ରକେ ତାହାର ସ୍ୱାଦୁ ଜଣାଯାଏ । ଯେବେ ସେ ଶିରା କୌଣସି କାରଣରୁ ବିକୃତ ହୋଇଯାଏ, ତେବେ କିଛି ସ୍ୱାଦୁ ଜଣା ଯାଏ ନାହିଁ । ଚର୍ମ ତଳେ ତଳେ ସମସ୍ତ ଦେହଯାକରେ ଯେ ଶିରାମାନ ଅଛି, ତହିଁରେ ଶୀତଳ ଅବା ଉଷ୍ଣ ଷଦାର୍ଥ ଲାଗିଲେ ତହିଁର ଗୁଣ ଜଣାଯାଏ; ଅତଏବ ଚର୍ମକୁ ସ୍ପର୍ଶେନ୍ଦ୍ରିୟ ବୋଲି । ଯେବେ କୌଣସି ରାଗବଶରୁ ଅଙ୍ଗର କୌଣସି ସ୍ଥାନର ଚର୍ମ ଦୂଷିତ ହୋଇଯାଏ, ତେବେ ସେଠାରେ ଚୁମୁଟିଲେ କାଟେ ନାହିଁ ଏବଂ ନିଆଁ କି ପାଣି କିଛି ଲାଗିଲେ ଶୀତଳ କି ଉଷ୍ଣ କିଛି ଜଣାଯାଏ ନାହିଁ । ଏହିପରି ଇନ୍ଦ୍ରିୟମାନଙ୍କର ବ୍ୟବହାର ଅଟେ-

 

ଏହିସବୁ ଇନ୍ଦ୍ରିୟମାନଙ୍କ ମଧ୍ୟରୁ ପ୍ରାଣିବିଶେଷରେ ଯାହାର ଯେଉଁ ଇନ୍ଦ୍ରିୟ ପ୍ରବଳ ଅଛି, ସେ ସେହି ଇନ୍ଦ୍ରିୟଦ୍ୱାରା କାର୍ଯ୍ୟର ବିଶେଷ ଗୁଣକୁ ଲାଭ କରେ । ଦେଖ, ବିରାଡ଼ିଙ୍କର ଚକ୍ଷୁ ଇନ୍ଦ୍ରିୟ ଏତେ ପ୍ରବଳ ଯେ, ଗାଢ଼ ଅନ୍ଧକାରରେ ମୂଷା ଯିବାର ଦେଖି ପାରି ତାହାକୁ ଧରି ଖାଇଯାନ୍ତି । କୁକ୍କୁରର ନାସା ଇନ୍ଦ୍ରିୟ ଏଡ଼େ ପ୍ରବଳ ଯେ, ଦୂରରେ ଯିବା ଜନ୍ତୁ ଦେହର ଗନ୍ଧ ବାରି ତାକୁ ଗୋଡ଼ାଇ ଧରି ଆଣନ୍ତି । ପାରାମାନଙ୍କର ଦର୍ଶନେନ୍ଦ୍ରିୟ ଏଡ଼େ ପ୍ରବଳ ଯେ, ଅତ୍ୟୁଚ୍ଚ ଆକାଶମାର୍ଗରେ ଥାଇ ଭୂମିସ୍ଥ ସର୍ଷପକୁ ଦେଖି ପାରନ୍ତି ଏବଂ ଶାଗୁଣାଙ୍କର ଚକ୍ଷୁଇନ୍ଦ୍ରିୟ ସେହିପରି ପ୍ରବଳ ଥିବାରୁ ଆକାଶମାର୍ଗରେ କୋଶେ ଅବା ଦୁଇ କୋଶ ଅନ୍ତରରୁ ଭୂମି ଉପରେ ପଡ଼ିଥିବା ମୃତ ଶରୀରାଦିକୁ ଦେଖି ସେଠାରେ ଉପସ୍ଥିତ ହୁଅନ୍ତି । ପିମ୍ପୁଡ଼ିଙ୍କର ନାସାଇନ୍ଦ୍ରିୟ ସେହିପରି ପ୍ରବଳ ଯେ, କିଛି ସ୍ୱାଦୁ ପଦାର୍ଥ ଯେଉଁଠାରେ ରଖିଲେହେଁ ତାହାର ଆଘ୍ରାଣ ପାଇ ସେଠାରେ ପହୁଞ୍ଚନ୍ତି । ଏହିପରି ପ୍ରାଣିମାନେ ପରମେଶ୍ୱରଙ୍କ ଦତ୍ତ ଇନ୍ଦ୍ରିୟପ୍ରବଳତାଦ୍ୱାରା ଯେଝା କାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତି ।

 

ମନୁଷ୍ୟମାନଙ୍କର ଏ ସମସ୍ତ ଇନ୍ଦ୍ରିୟମାନେ ଅଛନ୍ତି, କିନ୍ତୁ କୌଣସି ଇନ୍ଦ୍ରିୟ ସବଳ ଅବା ଦୁର୍ବଳ ହୋଇଅଛି ଏପରି ବୋଲାଯାଇ ନ ପାରେ । ସମସ୍ତ ଇନ୍ଦ୍ରିୟମାନେ ସମାନଭାବରେ ଅଛନ୍ତି । ଏହା ଛଡ଼ା ମନୁଷ୍ୟର ଆଉ ଗୋଟିଏ ଶକ୍ତି ଅଛି କି ତଦ୍ଦ୍ୱାରା ସେ ଆପଣାର ହିତାହିତ ବୁଝି ପାରି ଯାହା କରିବାର ଆବଶ୍ୟକ ଏବଂ ଯେଉଁ କାର୍ଯ୍ୟ କଲେ କେହି ନିନ୍ଦା ନ କରିବ, ଏମନ୍ତ କାର୍ଯ୍ୟକୁ ଅବଲମ୍ୱନ କରି ତାହାଦ୍ୱାରା ଆପଣାର ସଂସାରଯାତ୍ରା ନିର୍ବାହ କରେ । ଏ ଶକ୍ତିକୁ ବୁଦ୍ଧି ବୋଲି ଓ ତାହା ଥିବାରୁ ମନୁଷ୍ୟକୁ ବୁନ୍ଧିଜୀବୀ ବୋଲାଯାଏ, ସମସ୍ତଙ୍କଠାରେ ଏ ଶକ୍ତି ସମାନରୂପେ ନ ଥାଏ । ଶିକ୍ଷା ଓ ଉପଦେଶଦ୍ୱାରା ଯାହାର ବୁଦ୍ଧି ମାର୍ଜିତ ହୁଏ, ତାହାକୁ ବୁଦ୍ଧିମାନ୍‌ ବୋଲାଯାଏ । ସେ ଆପଣାର ଯଥାର୍ଥ ହିତାହିତ ବୁଝିବା ସକାଶେ ଅନ୍ୟ କାହାରି ଅପେକ୍ଷା କରେ ନାହିଁ । ଯାହାର ବୁଦ୍ଧି ସେପରି ମାର୍ଜିତ ହୋଇ ନାହିଁ, ତାହାକୁ ମୂର୍ଖବା ମୂଢ଼ ବୋଲାଯାଏ । ଅନ୍ୟ କୌଣସି ଜୀବଠାରେ ଏପରି ଶକ୍ତି ନାହିଁ ବୋଲି ତାଙ୍କୁ ଅବୋଧ ଜୀବ ବୋଲାଯାଏ । ମନୁଷ୍ୟମାତ୍ରକେ ବୁଦ୍ଧିଜୀବୀ ହେଲେହେଁ ସେମାନଙ୍କ ମଧ୍ୟରେ କେହି ଏପରି ମୂଢ଼ ଅଛନ୍ତି ଯେ, ହିତ କି ଅହିତ କିଛି ବିବେଚନା ନ କରି ନାନା ଅକର୍ତ୍ତବ୍ୟ କର୍ମ ଅର୍ଥାତ୍‌ ଚୋରି, ଡକାଇତି, ନରହତ୍ୟା ଇତ୍ୟାଦି ଦୂଷଣୀୟ କର୍ମରେ ଧନଲୋଭରେ କିମ୍ୱା ଶତ୍ରୁତା ହେତୁରୁ ପ୍ରବୃତ୍ତ ହୁଅନ୍ତି, ସେହି ଦୋଷରେ ସଂସାର ମଧ୍ୟରେ ନିନ୍ଦିତ ହୁଅନ୍ତି ଏବଂ ରାଜାଦ୍ୱାରା ପ୍ରାଣାନ୍ତ ଦଣ୍ଡ କିମ୍ୱା ଯାବଜ୍ଜୀବନ ବନ୍ଦୀ ହେବାର ଇତ୍ୟାଦି ଯନ୍ତ୍ରଣାମାନ ଭୋଗ କରନ୍ତି, ଆଉ ମଧ୍ୟ ଜଗତ୍ପିତା ପରମେଶ୍ୱରଙ୍କ ନିକଟରେ ଅପରାଧୀ ହୋଇ ସର୍ବଦା ମହାଘୋର ନରକ ଦୁଃଖ ଭୋଗ କରନ୍ତି । ଅତଏବ ଚୋରି କରିବା କିମ୍ୱା ଡକାଇତୀ ଇତ୍ୟାଦି ନିନ୍ଦିତ କର୍ମ କରିବା କେଭେଁ ଉଚିତ ନୁହେ । ଦେଖ, ପରମେଶ୍ୱର ମନୁଷ୍ୟଜନ୍ମରେ ବୁଦ୍ଧି ପରାକ୍ରମ ଓ ବିବେକ ଶକ୍ତି ପ୍ରଦାନ କରିଅଛନ୍ତି, ସେ ବୁଦ୍ଧିବଳରେ ବିଦ୍ୟା ଉପାର୍ଜନ କରି ତଦ୍ଦ୍ୱାରା ରାଜକୀୟ କର୍ମ ଅଥବା ନାନାପ୍ରକାର ବ୍ୟବମାୟାଦି କରି ପ୍ରତିପାଳତ ହେବା ମନୁଷ୍ୟର କର୍ତ୍ତବ୍ୟ । ତାହା ସବୁ ପରିଶ୍ରମସାଧ୍ୟ ଥିବାରୁ ଆଳସ୍ୟବଶରେ ତାହା ନ କରି ନିନ୍ଦନୀୟ କର୍ମରେ କିଞ୍ଚିକାଳ ସୁଖ ନିମିତ୍ତ ପ୍ରବୃତ୍ତ ହୋଇ ଚିରକାଳ ନିର୍ଲଜ୍ଜଙ୍କ ପ୍ରାୟ ରହି ଦୁଃଖ ଭୋଗ କରିବା କଦାଚ ଉଚିତ ନୁହେ ।

Image

 

ଚାଷ

 

ଗୋରୁ ବୋଲି ଯେଉଁ ପଶୁ ଅଛନ୍ତି, ତାଙ୍କ ମଧ୍ୟରେ ମାଈ ଗୋରୁଙ୍କୁ ଗାଇ ଅବା ଧେନୁ କହନ୍ତି । ସେମାନଙ୍କ ଦୁଗ୍ଧ ଅତି ସ୍ୱାଦୁ ଅଟେ, ମଧ୍ୟ ସେ ଦୁଗ୍ଧ ଖାଇଲେ ଦେହରେ ବଳ ହୁଏ, ଆଉ ସେହି ଦୁଗ୍ଧକୁ ଆଉଟି ଶୀତଳ କରି ତହିଁରେ କିଞ୍ଚିତ୍‌ ଅମ୍ଳ ମିଶ୍ରିତ କରି ଏକରାତ୍ର ରଖିଲେ ତାହା ବସିଯାଏ, ତାକୁ ବସାଦହି କହନ୍ତି । ସେହି ଦହିକି ମୁହିଁଲେ ତହିଁରୁ ଯେଉଁ ସ୍ନେହପଦାର୍ଥ ପୃଥକ୍‌ ହୋଇ ବାହାରେ, ତାହାକୁ ଲହୁଣୀ କହନ୍ତି, ସେ ଲହୁଣୀକି କୌଣସି ପାତ୍ରରେ ନିଆଁରେ ବସାଇଦେଲେ ତହିଁରେ ଯେତେ ଜଳ ମିଶ୍ରିତ ଥାଏ, ତାହା ମରି ଯାଇ କେବଳ ଚିକ୍କଣଭାଗ ତରଳ ରୂପରେ ରହେ, ତାଙ୍କୁ ଘିଅ କହନ୍ତି । ସେ ଘିଅ ଖାଇବାକୁ ବଡ଼ ସୁଖକର, ମଧ୍ୟ ଖାଇଲେ ଦେହରେ ବଳ ହୁଏ, ଆଉ ଦେହର ତେଜ ବାହାରେ । ଆଉ ମଧ୍ୟ ସେହି ଘିଅରେ ନାନାପ୍ରକାର ପିଠା କରାଯାଏ, ସେ ପିଠାସବୁ ଖାଇବାକୁ ସ୍ୱାଦୁ ହୁଏ ଏବଂ ଦେହର ପୁଷ୍ଟିକାରକ ହୁଏ । ଲହୁଣୀ ବାହାରିଲାରୁ ଦହିର ଆଉ ଯେ ଶେଷ ରହେ, ତାକୁ ଘୋଳଦହି କହନ୍ତି, ସେ ଘୋଳଦହିକୁ ମଧ୍ୟ କେହି କେହି ଭାତ ବା ଚୁଡ଼ା ସଙ୍ଗେ କିମ୍ୱା ଆଉ ଆଉ ଖାଇବା ପଦାର୍ଥ ସଙ୍ଗେ ମିଶାଇ ଖାନ୍ତି । ଏହିପରି ଦୁଗ୍ଧ ଅନେକ କାର୍ଯ୍ୟରେ ଆସେ ।

 

ଅଣ୍ଡିରା ଗୋରୁମାନଙ୍କୁ ବୃଷଭ ଅର୍ଥାତ୍‌ ଷଣ୍ଢ ବୋଲାଯାଏ । ଷଣ୍ଢ କୈାଣସି କାର୍ଯ୍ୟରେ ଆସେ ନାହିଁ । ଯେଉଁମାନେ ହିନ୍ଦୁ ନୁହନ୍ତି, ସେମାନେ ଷଣ୍ଢଦ୍ୱାରା ହଳ ଓ ଶଗଡ଼ବୁହା ଇତ୍ୟାଦି କାର୍ଯ୍ୟ ନିର୍ବାହ କରନ୍ତି, କିନ୍ତୁ ଅଣ୍ଡିରା ବାଛୁରିକି ଏକ ବର୍ଷ ବୟଃକ୍ରମ ମଧ୍ୟରେ ଗଉଡ଼, ବାଉରି ଇତ୍ୟାଦି ଜାତିମାନେ ଧରାନ୍ତି ଅର୍ଥାତ୍‌ ତାଙ୍କ କୋଷକୁ ହାଡ଼ିଦ୍ୱାରା କଟାଇ ତାହାର ସାର ବାହାର କରାଇ ସେହି ବାଛୁରିକୁ ଖୁଆଇ ଦିଅନ୍ତି ଏବଂ ସେ କଟା ଘାରେ ଔଷଧ ଲଗାଇ ତାକୁ ଭଲ କରାନ୍ତି । ଏପରି ହେବାରୁ ସେ ବାଛୁରିର ଆଉ ଷଣ୍ଢ ରୀତି ରହେ ନାହିଁ, ଏଣୁକରି ତାକୁ ବଳଦ କହନ୍ତି । ସେହି ବଳଦକୁ ପଲା ଅବସ୍ଥାରେ ବାଛୁରି, ଯୁବା ସମୟରେ ଦାମୁଡ଼ି, ବୃଦ୍ଧାବସ୍ଥାରେ ହଡ଼ାଗୋରୁ ବୋଲି କହନ୍ତି । ସେହି ବଳଦଦ୍ୱାରା ଭୁମି ଲଙ୍ଗଳରେ ଚଷି ତହିଁରେ ଧାନ, ଗହମ ଇତ୍ୟାଦି ଶସ୍ୟମାନଙ୍କର ବିହନ ବୁଣନ୍ତି, ସେ ବିହନ ଗଛ ହେଲା ପରେ ତାକୁ ବେଉଷଣ କରନ୍ତି ଅର୍ଥାତ୍‌ ସେହି ଗଛ ଖୁଦର ହୋଇଥାଏ, ତହିଁରେ ବିଶେଷ ପାଣି ରଖି ବଳଦଦ୍ୱାରା ଲଙ୍ଗଳରେ ଚଷି ତାହା ଉପରେ ମଇ ବୁଲାଇ ଦେଇ ଜଳରେ ପୂର୍ଣ୍ଣ ରଖନ୍ତି । ସେ ଜଳର ଶୀତଳଗୁଣକୁ ପାଇ କିଛିଦିନରେ ଉକ୍ତ ଗଛସକଳ ପୂର୍ବଠାର ଉତ୍ତମରୂପେ ପ୍ରକାଶରୂପେ ବାହାରି କ୍ରମେ କ୍ରମେ ପୁଷ୍ଟ ହୁଏ, ତତ୍ପରେ ବାଛି ଅର୍ଥାତ୍‌ ସେହି ଶସ୍ୟକିଆରିରୁ ଘାସ ବାଳୁଙ୍ଗା ଇତ୍ୟାଦିମାନଙ୍କୁ ବାହାର କରି ଦେଇ କୋମଣଦ୍ୱାରା ବଢ଼ାଇଲେ ସେ ଉତ୍ତମରୂପେ ଫଳ ହୁଏ । ଫଳ ପାଚିଲେ ତାକୁ କାଟି ଆଣି ଖଳାରେ ଗଦା କରି ବେଙ୍ଗଳା ପକାଇ କିମ୍ୱା କଚଡ଼ା ପିଟି ଶସ୍ୟଅମଳ ଅର୍ଥାତ୍‌ ତହିଁର କୁଟା ଡାଙ୍ଗ ଇତ୍ୟାଦିରୁ ଶସ୍ୟମାନଙ୍କୁ ଅଲଗା କରି ନେଇ ସମ୍ପାଦନ କରନ୍ତି । ସେ ଶସ୍ୟ ପ୍ରତିଦିନ ଆପଣା ଖାଦ୍ୟ ଅନୁସାରେ ବ୍ୟୟ କରି ଉତ୍ତମରୂପେ କୁଟୁମ୍ୱ ପ୍ରତିପାଳନ କରନ୍ତି । ଏରୂପ ଶସ୍ୟ ଉତ୍ପାଦନଦ୍ୱାରା ନିର୍ବାହ ହେବା ବ୍ୟକ୍ତିମାନେ କାହାର ଅହିତକାରକ ନ ହୋଇ ସଂସାରରେ ଧନ୍ୟବାଦର ପାତ୍ର ହୁଅନ୍ତି ।

 

ପରମେଶ୍ୱର ପ୍ରାଣିମାନଙ୍କ ବିଷୟରେ ଯେଉଁ ନିୟମ ସବୁ ସର୍ଜିଅଛନ୍ତି, ସେହି ନିୟମରୁ ଭିନ୍ନ କୌଣସି ରୀତିରେ କେହି ବ୍ୟବହାର କରି ନ ପାରନ୍ତି । ଦେଖ, ଜଗଦୀଶ୍ୱର ଏମନ୍ତ ଏକ ନିୟମ କରି ଦେଇଅଛନ୍ତି ଯେ, ପଶୁ, ପକ୍ଷୀ ଇତ୍ୟାଦି ଜୀବମାନେ ଯେଉଁ ପଦାର୍ଥ ଗ୍ରାସ କରିବେ, ତାହାକୁ କଞ୍ଚା ଅର୍ଥାତ୍‌ ଅରନ୍ଧନରେ ଖାଇବେ, ଯେହେତୁ ସେମାନଙ୍କର ଖାଦ୍ୟ ପଦାର୍ଥ ଆଣି ପାକ କରିବାର କର୍ତ୍ତବ୍ୟ ନାହିଁ । ଏହି କାରଣରୁ ସେମାନେ ଯାହା ଖାଇବେ, ତାହା ସେମାନଙ୍କ ଗର୍ଭରେ ଯେପରି ଜୀର୍ଣ୍ଣ ହେବ, ଏମନ୍ତ ଶକ୍ତି ପରମେଶ୍ୱର ସେମାନଙ୍କୁ ପ୍ରଦାନ କରିଅଛନ୍ତି । ଅତଏବ ସେମାନେ ସେହି ସେହି ଦ୍ରବ୍ୟ ଖାଇ ପ୍ରାଣ ରକ୍ଷା କରନ୍ତି । ମାତ୍ର ମନୁଷ୍ୟ ସେପରି ଅପାକ ପଦାର୍ଥ ଗ୍ରାସ କଲେ, ସେ ସକଳ ଉଦର ମଧ୍ୟରେ ଜୀର୍ଣ୍ଣ ନ ହୋଇ ଅନିଷ୍ଟକର ହୁଏ । ଏହି କାରଣରୁ ମନୁଷ୍ୟମାନେ ଯାବତୀୟ ଖାଦ୍ୟପଦାର୍ଥ ଅଗ୍ନିଦ୍ୱାରା ପାକ କରି ଆହାର କରନ୍ତି, ମଧ୍ୟ ସେ ପଦାର୍ଥ ସକଳ ସୁସ୍ୱାଦୁ ହୁଏ ଏବଂ ଶରୀରର ପୁଷ୍ଟି କରେ । ଏହାର କାରଣ ଏହି ଯେ, ମନୁଷ୍ୟ ଆପଣା ବୁଦ୍ଧିବଳଦ୍ୱାରା ସକଳ ପଦାର୍ଥକୁ ସୁପରିଣତ କରିବାର ଶକ୍ତି ପରମେଶ୍ୱରଙ୍କ ନିକଟରୁ ପ୍ରାପ୍ତ ହୋଇଅଛି ଏବଂ ପଦାର୍ଥମାନଙ୍କର ଗୁଣ ଦୋଷ ବୁଝି ପାରିବାର ଶକ୍ତି ତାହାର ଅଛି । ଏହି କାରଣରୁ ମନୁଷ୍ୟମାନେ ବିନା ପରିଶ୍ରମରେ କୌଣସି ପଦାର୍ଥରେ ସୁଖଭୋଗୀ ନୋହି ଆପଣା ଯତ୍ନ ଓ ବୁଦ୍ଧିରେ ପଦାର୍ଥମାନଙ୍କୁ ସପକ୍ୱ କରି ଭୋଜନ କଲେ ତାହା ହିତକର ହୁଏ । ଏ ନିୟମକୁ ଲଘିଂଲେ ଅନିଷ୍ଟ ହୋଇ ଉଠେ, ଏଥିରେ ସନ୍ଦେହ ନାହିଁ । ଦେଖ, ଚାଉଳ କି ଗହମ ଇତ୍ୟାଦି ପଦାର୍ଥକୁ କଞ୍ଚା ଖାଇଲେ କେମନ୍ତ ରୋଗଜନକ ହୁଏ, ଏଥିରୁ ଜାଣିବ ।

 

ଦେଖ, ଜଗଦୀଶ୍ୱର ସମସ୍ତ ପ୍ରାଣିମାନଙ୍କୁ ରହିବା କାରଣ ଏକ ଏକ ସ୍ଥାନ ଦାନ କରିଅଛନ୍ତି ଯେ, ତାଙ୍କ ଆଚାର ପ୍ରତିବାଦୀ ହୋଇ କେହି କାହାର ସ୍ଥାନକୁ ଆକ୍ରମଣ ନ କରି ଯେଝା ସ୍ଥାନରେ ସମସ୍ତେ ବାସ କରି ରହିଅଛନ୍ତି । ମନୁଷ୍ୟ ଗ୍ରାମ ମଧ୍ୟରେ ଗୃହ ନିର୍ମାଣ କରି ରହନ୍ତି, ପକ୍ଷିମାନେ ବୃକ୍ଷରେ ବସା ନିର୍ମାଣ କରି ରହନ୍ତି, ବ୍ୟାଘ୍ରାଦି ଜନ୍ତୁ ପର୍ବତକ୍ରୋଡ଼ କିମ୍ୱା ମହାରଣ୍ୟ ମଧ୍ୟରେ ରହନ୍ତି । ଏହିପରି ଯେଉଁ ନିୟମ ସକଳ ଅଛି, ତାହା କେହି ଲଘିଂ ନ ପାରେ । ଅତଏବ ଜଗତ୍‌ପିତା ପରମେଶ୍ୱରଙ୍କର ଯେ ଆଜ୍ଞା, ତାହା କଦାଚ ବିଫଳ ହୁଏ ନାହିଁ ଏବଂ ସେ ଯାହା କରି ନାହାନ୍ତି, ଏମନ୍ତ ପଦାର୍ଥ ଆଉ କେହି କରିପାରିବାର ସମ୍ଭାବନା ନାହିଁ; ଯେହେତୁ ପରମେଶ୍ୱରଙ୍କର ଆଜ୍ଞା ଅଛି ଯେ ବସନ୍ତ ସମୟରେ କୋକିଳ ରଟିବ, ଆମ୍ର, ପନସ ଇତ୍ୟାଦି ଫଳ ଫଳିବ, ତାହା କାହାରିଦ୍ୱାରା ଅନ୍ୟଥା ହୋଇ ବର୍ଷା ସମୟରେ କିବା ଅନ୍ୟ ସମୟରେ ହୋଇ ପାରିବାର ଦେଖା ନାହିଁ, କି ସମ୍ଭବ ନାହିଁ । ଇତ୍ୟାଦି କାରଣସକଳରୁ ପରମେଶ୍ୱରଙ୍କର ଜଗତ୍କର୍ତ୍ତୃତ୍ୱ ପ୍ରକାଶିତ ହୋଇ ସର୍ବସାଧାରଣରେ ଆଦରଣୀୟ ହୋଇ ଆସୁଅଛି ।

Image

 

କାଳ ନିରୂପଣ

 

ଆମ୍ଭମାନଙ୍କର ବ୍ୟବହୃତ ସମୟର ଏକ ନିୟମ ଅଛି, ତାହା ଜାଣିବାର ଆବଶ୍ୟକ । ଏହି କାରଣରୁ ଲେଖିବାକୁ ହେଲା । ଯଥା- ଆମ୍ଭମାନଙ୍କର ଚକ୍ଷୁର ଯେଉଁ ପଲକ ପଡ଼େ, ତାହାକୁ ନିମେଷ ବୋଲି; ଅଠର ନିମେଷରେ ଏକ କାଷ୍ଠା, ତିରିଶ କାଷ୍ଠାରେ ଏକ କଳା, ତିରିଶ କଳାରେ ଏକ କ୍ଷଣ, ଛ କ୍ଷଣରେ ଏକ ଦଣ୍ଡ, ଦୁଇ ଦଣ୍ଡରେ ଏ ଘଡ଼ି, ତିରିଶ ଘଡ଼ି ଅର୍ଥାତ୍‌ ଷାଠିଏ ଦଣ୍ଡରେ ଏକ ଅହୋରାତ୍ର ଅର୍ଥାତ୍‌ ଏକ ଦିବସ, ଏକ ରାତ୍ର ହୁଏ । ଏହିପରି ତିରିଶ ଅହୋରାତ୍ରରେ ଏକ ମାସ ହୁଏ । ଏହି ମାସ ଦୁଇପ୍ରକାର, ଚାନ୍ଦ୍ରମାନ ମାସ, ସୌରମାନ ମାସ । କୃଷ୍ଶ ପ୍ରତିପଦ୍‌ଠାରୁ ଶୁକ୍ଳପୂର୍ଣ୍ଣିମା ପର୍ଯ୍ୟନ୍ତ ଯେଉଁ ମାସ, ତାହାକୁ ଚାନ୍ଦ୍ରମାନ ମାସ ବୋଲାଯାଏ । ସଂକ୍ରାନ୍ତିଠାରୁ ମାସାନ୍ତ ପର୍ଯ୍ୟନ୍ତ ଯେଉଁ ମାସ, ସେ ସୌରମାନ ମାସ ହୁଏ । ଆମ୍ଭମାନଙ୍କ ମଧ୍ୟରେ ଚାନ୍ଦ୍ରମାଳ ମାସର ବିଶେଷ ବ୍ୟବହାର ହୁଏ । କେବଳ ପତ୍ରାଦି ଳେଖିବା ଏବଂ ବିବାହାଦି ବୁଝିବା କାରଣ ସୌର ମାସକୁ ବ୍ୟବହାର କରନ୍ତି । ସେହି ଚାନ୍ଦ୍ରମାନ ମାସର ଦୁଇ ଦୁଇ ମାସରେ ଏକ ଏକ ଋତୁ ହୁଏ । ଯଥା- ମାର୍ଗଶିର, ପୌଷ ଏ ଦୁଇ ମାସ ହିମ ଋତୁ; ମାଘ, ଫାଲ୍ଗୁନ ଶିଶିର; ଚୈତ୍ର, ବୈଶାଖ ବସନ୍ତ; ଜ୍ୟୈଷ୍ଠ, ଆଷାଢ଼ ଗ୍ରୀଷ୍ମ; ଶ୍ରାବଣ, ଭାଦ୍ର ବର୍ଷା; ଆଶ୍ୱିନ, କାର୍ତ୍ତିକ ଶରତ୍‌ । ଏହିପରି ଛ ଋତୁରେ ଅର୍ଥାତ୍‌ ବାର ମାସରେ ଏକ ବର୍ଷ ହୁଏ । ଏହିପରି ଯୁଗ, ମନୁ ଇତ୍ୟାଦି କଳ୍ପନା ହୁଏ । ଆଉ ମଧ୍ୟ ଅନ୍ୟପ୍ରକାର ଦିବସର ଗଣନା ବର୍ତ୍ତମାନ ସରକାରୀ ରୀତିରେ ଚଳୁଅଛି । ଯଥା- ଷାଠିଏ ସେକଣ୍ଡରେ ଏକ ମିନିଟ, ଷାଠିଏ ମିନିଟରେ ଏକ ଘଣ୍ଟା, ଚବିଶ ଘଣ୍ଟାରେ ଏକ ଅହୋରାତ୍ର ଅର୍ଥାତ୍‌ ରାତ୍ର ଅର୍ଦ୍ଧଠାରୁ ଦିବସ ଅର୍ଦ୍ଧ ପର୍ଯ୍ୟନ୍ତ ବାର ଘଣ୍ଟା, ଦିବସ ଅର୍ଦ୍ଧଠାରୁ ରାତ୍ର ଅର୍ଦ୍ଧପର୍ଯ୍ୟନ୍ତ ବାର ଘଣ୍ଟା ଏବଂ ଆମ୍ଭମାନଙ୍କ ବ୍ୟବହାରରେ ସାତ ଦଣ୍ଡ ଅଧକେ ଏକ ଗ୍ରହର, ଏହିପରି ଦିବସ ରାତ୍ର ହୋଇ ଆଠ ପ୍ରହରରେ ବିଭକ୍ତ । ସାତ ଦିନକୁ ଏକ ସପ୍ତାହ ଅବା ଏକ ହପ୍ତା ବୋଲି ବ୍ୟବହାର କରନ୍ତି । ଏହିରୁପରେ ସମୟର ବ୍ୟବହାର ସର୍ବସାଧାରଣରେ ଚଳୁଅଛି ।

Image

 

ଚାନ୍ଦ୍ରମାନ ମାସ

 

ଚାନ୍ଦ୍ରମାନ ମାସର ବ୍ୟବହାର ଯେପରି ହୁଏ, ତାହା ସ୍ପଷ୍ଟ କରି ନ ଲେଖିଲେ ବାଳକମାନଙ୍କର ସୁବୋଧ୍ୟ ହେବ ନାହିଁ, ଏହି ବିବେଚନାରେ ତାହାର ବିବରଣ ପ୍ରକାଶ କରାଗଲା । କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷ ଦୁହିଙ୍କର ଗଣନା ଏକପ୍ରକାର ହୁଏ, କେବଳ ଶେଷ ଦିବସର ନାମ ଭିନ୍ନ ହୁଏ-। ଯଥା- ପ୍ରତିପଦ୍‌ ୧; ଦ୍ୱିତୀୟା ୨; ତୃତୀୟା ୩; ଚତୁର୍ଥୀ ୪; ପଞ୍ଚମୀ ୫; ଷଷ୍ଠୀ ୬; ସପ୍ତମୀ ୭; ଅଷ୍ଟମୀ ୮; ନବମୀ ୯; ଦଶମୀ ୧୦; ଏକାଦଶୀ ୧୧; ଦ୍ୱାଦଶୀ ୧୨; ତ୍ରୟୋଦଶୀ ୧୩; ଚତୁର୍ଦ୍ଦଶୀ ୧୪; କୃଷ୍ଣପକ୍ଷରେ ଅମାବାସ୍ୟ ୧୫; ଶୁକ୍ଳପକ୍ଷରେ ପୂର୍ଣ୍ଣିମା ୧୫; ଏହିରୂପେ ଗଣନା ହୁଏ ।

Image

 

ସୌରମାନ ମାସ

 

ମେଷ ୧; ବୃଷ ବା ରିଷଭ ୨; ମିଥୁନ ୩; କର୍କଟ ୪; ସିଂହ ୫; କନ୍ୟା ୬; ତୁଳା ୭; ବିଛା ୮; ଧନୁ ୯; ମକର ୧୦; କୁମ୍ଭ ୧୧; ମୀନ ୧୨ ।

Image

 

ଚାନ୍ଦ୍ରମାନ ମାସ

 

ମାର୍ଗଶିର ୧; ପୌଷ ୨; ମାଘ ୩; ଫାଲ୍ଗୁନ ୪; ଚୈତ୍ର ୫; ବୈଶାଖ ୬; ଜ୍ୟୈଷ୍ଠ ୭; ଆଷାଢ଼ ୮; ଶ୍ରାବଣ ୯; ଭାଦ୍ର ୧୦; ଆଶ୍ୱିନ ୧୧; କାର୍ତ୍ତିକ ୧୨ ।

 

ଇଂରାଜୀ ମାସ

 

ଜାନୁଆରି ୧; ଫେବୃଆରି ୨; ମାର୍ଚ୍ଚ ୩; ଅପ୍ରେଲ ୪; ମଇ ୫; ଜୁନ ୬; ଜୁଲାଇ ୭; ଅଗଷ୍ଟ ୮; ସେପ୍ଟେମ୍ୱର ୯; ଅକ୍ଟୋବର ୧୦; ନଭେମ୍ୱର ୧୧; ଡିସମ୍ୱର ୧୨ ।

Image

 

ସାତ ବାର

 

ରବିବାର ୧; ସୋମବାର ୨; ମଙ୍ଗଳବାର ୩; ବୁଧବାର ୪; ଗୁରୁବାର ୫; ଶୁକ୍ରବାର ୬; ଶନିବାର ୭ । ଆମ୍ଭମାନଙ୍କ ବ୍ୟବହାର ନିମିତ୍ତ ଗଣନା କରିବା କାରଣ କେତେକ ଅଙ୍କ ଲେଖିବାକୁ ହୁଏ, ସେମାନଙ୍କ ନାମ ଏହି; ଯଥା- ୧ ଏକ; ୨ ଦୁଇ; ୩ ତିନି; ୪ ଚାରି; ୫ ପାଞ୍ଚ; ୬; ଛ; ୭ ସାତ; ୮ ଆଠ; ୯ ନଅ; ୧୦ ଦଶ; ୧୧ ଏଗାର; ୧୨ ବାର; ୧୩ ତେର; ୧୪ ଚୌଦ; ୧୫ ପନ୍ଦର; ୧୬ ଷୋହଳ; ୧୭ ସତର; ୧୮ ଅଠର; ୧୯ ଉଣେଇଶ; ୨୦ କୋଡ଼ିଏ; ୨୧ ଏକୋଇଶ; ୨୨ ବାଇଶ; ୨୩ ତେଇଶ; ୨୪ ଚବିଶ; ୨୫ ପଚିଶ; ୨୬ ଛବିଶ; ୨୭ ସତାଇଶ; ୨୮ ଅଠାଇଶ; ୨୯ ଅଣତ୍ରିଶ; ୩୦ ତ୍ରିଶ; ୩୧ ଏକତ୍ରିଶ; ୩୨ ବତିଶ; ୩୩ ତେତିଶ; ୩୪ ଚଉତିଶ; ୩୫ ପଞ୍ଚତ୍ରିଶ; ୩୬ ଛତିଶ ୩୭ ସଇଁତ୍ରିଶ; ୩୮ ଅଠତ୍ରିଶ; ୩୯ ଅଣଚାଳିଶ; ୪୦ ଚାଳିଶ; ୪୧ ଏକଚାଳିଶ; ୪୨ ବୟାଳିଶ; ୪୩ ତେୟାଳିଶ; ୪୪ ଚୌରାଳିଶ; ୪୫ ପଞ୍ଚଚାଳିଶ; ୪୬ ଛୟାଳିଶ; ୪୭ ସତଚାଳିଶ; ୪୮ ଅଠଚାଳିଶ ୪୯ ଅଣଚାଶ; ୫୦ ପଚାଶ; ୫୧ ଏକାବନ; ୫୨ ବାନ; ୫୩ ତେପନ; ୫୪ ଚୌବନ; ୫୫ ପଞ୍ଚାବନ; ୫୬ ଛପନ; ୫୭ ସତାବନ; ୫୮ ଅଠାବନ; ୫୯ ଅଣଷାଠି; ୬୦ ଷାଠିଏ; ୬୧ ଏକଷଠି; ୬୨ ବାଷଠି ୬୩ ତେଷଠି; ୬୪ ଚୌଷଠି; ୬୫ ପଞ୍ଚଷଠି; ୬୬ ଛଷଠି; ୬୭ ସତଷଠି; ୬୮ ଅଠଷଠି; ୬୯ ଅଣସ୍ତୁରି; ୭୦ ସତୁରି; ୭୧ ଏକସ୍ତରି; ୭୨ ବାସ୍ତରି; ୭୩ ତେସ୍ତରି ୭୪ ଚଉସ୍ତରି; ୭୫ ପଞ୍ଚସ୍ତରି; ୭୬ ଛସ୍ତରି; ୭୭ ଶତସ୍ତରି; ୭୮ ଅଠସ୍ତରି; ୭୯ ଅଣାଶୀ; ୮୦ ଅଶୀ; ୮୧ ଏକାଶୀ; ୮୨ ବୟାଶୀ; ୮୩ ତେୟାଶୀ; ୮୪ ଚୌରାଶୀ; ୮୫ ପଞ୍ଚାଶୀ; ୮୬ ଛୟାଶୀ; ୮୭ ସତାଶୀ; ୮୮ ଅଠାଶୀ; ୮୯ ଅଣନଉ; ୯୦ ନଉ; ୯୧ ଏକାଣୋଇ; ୯୨ ବୟାଣୋଇ; ୯୩ ତେୟାଣୋଇ; ୯୪ ଚୌରାଣୋଇ; ୯୫ ପଞ୍ଚାଣୋଇ; ୯୬ ଛୟାଣୋଇ; ୯୭ ସତାଣୋଇ; ୯୮ ଅଠାଣୋଇ; ୯୯ ଅନେଶତ; ୧୦୦ ଶଏ; ୧୦୦୦ ହଜାରେ; ୧୦୦୦୦ ଅୟୁତେ; ୧୦୦୦୦୦ ଲକ୍ଷେ ଏହିପରି ଦଶ ବୃଦ୍ଧିରେ ନିୟୁତ କୋଟି ଇତ୍ୟାଦି ସଂକ୍ୟା ଗଣନା କରାଯାଏ । ଆଉ ପୂରଣ ଅର୍ଥରେ ଏହି ଗଣନାର କିଛି ବିପରୀତ ରୀତି ଅଛି; ତାହା ଏହି-୧ମ ପ୍ରଥମ; ୨ୟ ଦ୍ୱିତୀୟ; ୩ୟ ତୃତୀୟ; ୪ର୍ଥ ଚତୁର୍ଥ; ୫ମ ପଞ୍ଚମ; ୬ଷ୍ଠ ଷଷ୍ଠ; ୭ମ ସପ୍ତମ; ୮ମ ଅଷ୍ଟମ; ୯ମ ନବମ; ୧୦ମ ଦଶମ; ୧୧ଶ ଏକାଦଶ; ୧୨ଶ ଦ୍ୱାଦଶ; ୧୩ଶ ତ୍ରୟୋଦଶ; ୧୪ଶ ଚତୁର୍ଦ୍ଦଶ; ୧୫ଶ ପଞ୍ଚଦଶ; ୧୬ଶ ଷୋଡ଼ଶ; ୧୭ଶ ସପ୍ତଦଶ; ୧୮ଶ ଅଷ୍ଠାଦଶ; ୧୯ଶ ଊନବିଂଶ; ୨୦ଶ ବିଂଶ ଏହି କ୍ରମରେ ଗଣନା ପୂରଣ ଅର୍ଥରେ କରାଯାଏ ।

Image

 

ମାସମାନଙ୍କର ଦିନ ସଂଖ୍ୟା

 

ମେଷ ୩୧ ଦିନ; ବୃଷ ୩୧ ଦିନ; ମିଥୁନ ୩୨ ଦିନ; କର୍କଟ ୩୧ ଦିନ; ସିଂହ ୩୧ ଦିନ; କନ୍ୟା ୩୧ ଦିନ; ତୁଳା ୩୦ ଦିନ; ବିଛା ୨୮ ଦିନ; ଧନୁ ୨୯ ଦିନ; ମକର ୩୦ ଦିନ; କୁମ୍ଭ ୩୦ ଦିନ; ମୀନ ୩୦ ଦିନ; ଗତିକ୍ରମରେ ବିଛା ଓ ଧନୁ ଏ ଦୁଇ ମାସରେ କେବେ କେବେ ଏକ ଦିନ ବୃଦ୍ଧି ବା କ୍ଷୟ ହେବାର ଦେଖାସାଏ ।

Image

 

ଇଂରାଜୀ ମାସ

 

ଜାନୁଆରି ୩୧ ଦିନ; ଫିବୃଆରି ୨୮ ଦିନ; ମାର୍ଚ୍ଚ ୩୧ ଦିନ; ଏପ୍ରେଲ ୩୦ ଦିନ; ମଇ ୩୧ ଦିନ; ଜୁନ ୩୦ ଦିନ; ଜୁଲାଇ ୩୧ ଦିନ; ଅଗଷ୍ଟ ୩୧ ଦିନ; ସେପ୍ଟେମ୍ୱର ୩୦ ଦିନ; ଅକ୍ଟୋବର ୩୧ ଦିନ; ନଭେମ୍ୱର ୩୦ ଦିନ; ଡିସମ୍ୱର ୩୧ ଦିନ । ମଧ୍ୟ ଏହି ଇଂରାଜୀ ମାସରେ ଫବୃଆରି ମାସ କେବେ ୨୯ ଦିନ ହେବାର ଦେଖାଯାଏ । ଏହିପରି ବାର ମାସମାନଙ୍କର ସଂଖ୍ୟା ଗଣନା ହୁଏ ।

Image

 

ଶକାବ୍‌ଦର ପ୍ରମାଣ

 

ବାର ମାସରେ ଏକ ବର୍ଷ, ଶଏ ବର୍ଷରେ ଏକ ଶତାବ୍ଦ ହୁଏ, ତାହାକୁ ଶକ ବୋଲି ବ୍ୟବହାର କରନ୍ତି । କୌଣସି ପ୍ରସିଦ୍ଧ ଅଧିକାରାପନ୍ନ ରାଜାଙ୍କର ଭୋଗ ସମୟକୁ ମୂଳ କରି କିମ୍ୱା କୌଣସି ବିଖ୍ୟାତ ବ୍ୟକ୍ତିଙ୍କ ଜନ୍ମ ସମୟକୁ ମୂଳ କରି କିମ୍ୱା କୌଣସି ବିଖ୍ୟାତ ବ୍ୟକ୍ତିଙ୍କ ଜନ୍ମ ସମୟକୁ ମୂଳ କରି ଶକ ଆରମ୍ଭଦ୍ୱାରା ବ୍ୟବହାରିକଗଣ ସର୍ବସାଧାରଣରେ ଗଣନା କରିବାର ଦେଖାଯାଏ । ଆମ୍ଭମାନଙ୍କ ଦେଶରେ ବର୍ତ୍ତମାନରେ ଅନେକ ଶକ ଚଳୁଅଛି । ତାହାର ପ୍ରମାଣ । ଯଥା-ବିକ୍ରମାଦିତ୍ୟ ନାମକ ଯେ ଏକ ପ୍ରସିଦ୍ଧ ରାଜା ଥିଲେ, ସେ ଆପଣା ଜନ୍ମଠାରୁ ଯେଉଁ ଶକ ଚଲାଇଅଛନ୍ତି, ତାହାକୁ ସମ୍ୱତ୍‌ ବୋଲି ଆମ୍ଭେମାନେ ବ୍ୟବହାର କରୁଅଛୁଁ । ଶାଳିବାହନ ରାଜା ଯାହାକୁ ଚଳାଇଥିଲେ, ତାହାକୁ ଶକାଦ୍ଦ ବୋଲି ବୋଲାଯାଉଅଛି । ଏହି ଦୁଇ ଶକ ଆମ୍ଭମାନଙ୍କ ପ୍ରଦେଶରେ ବିଶୁଦ୍ଧରୂପେ ପୂର୍ବରୁ ଚଳି ଆସୁଥିଲା, ଅଧୁନା ପାରସୀୟ ମହମ୍ମଦଙ୍କ ପ୍ରଚଳିତ ଶକ ସନ ସାଲ ନାମରେ ଚଳୁଅଛି ଏବଂ ଇଉରୋପୀୟ ଖ୍ରୀଷ୍ଟଙ୍କ ପ୍ରଚଳିତ ଶକ ସନ ମସିହା ନାମରେ ପ୍ରଚଳିତ ହେଉଅଛି । ଆଉ ଆମ୍ଭମାନଙ୍କ ଜନ୍ମଭୂମି ଏହି ଉତ୍କଳ ଦେଶରେ ଅନେକାନେକ ରାଜାମାନଙ୍କ ଭୋଗକ୍ରମରେ ଅଙ୍କ ବୋଲି ଏକପ୍ରକାର ଗଣନା ଚଳି ଆସୁଅଛି; କିନ୍ତୁ ତାହା ସର୍ବସାଧାରଣରେ ଗ୍ରାହ୍ୟ ହେଉ ନାହିଁ ।

Image

 

ଓଜନ ନିୟମ

 

ସମସ୍ତ ମନୁଷ୍ୟମାନଙ୍କର ବ୍ୟବହାର ବିଷୟରେ ନାନା ପଦାର୍ଥର କ୍ରୟ ବିକ୍ରୟରେ ଏକ ପ୍ରକାର ନିୟମ ଚଳୁଅଛି, ତାହାର ନିୟମ ଏହା । ଯଥା- ୧୨ ପଇସାରେ ୧ ଛଟାଙ୍କ, ୧୬ ଛଟାଙ୍କରେ ୧ ସେର, ଅଥବା ୪ ଛଟାଙ୍କରେ ୧ ପା, ୪ ପାରେ ୧ ସେର, ୪୦ ସେରରେ ଏକ ମହଣ । ୧୨ ସେରରେ ୧ ଗୌଣି ଅବା ନୌତି, ୨୦ ନୌତିରେ ୧ ପୌଟି, ୪ ପୌଟି ଅବା ୮୦ ନୌତିରେ ୧ ଭରଣ । ୪ ଧାନରେ ୧ ରତି, ୪ ରତି ଅବା ୧୬ ଧାନରେ ୧ ଚିନା, ୨ ଚିନା ୮ ରତିରେ କିମ୍ୱା ୩୨ ଧାନରେ ୧ ମସା, ୧୦ ମସାରେ ୧ ତୋଳା, ୬ ତୋଳାରେ ୧ ପଳ, ୨୦ ପଳରେ ୧ ବିଶା । ୩ ପାହୁଲାରେ ୧ ପଇସା, ୪ ପଇସାରେ ଟଂ/ ଅଣା, ଟଂ/ ଅଣାରେ ଏକ ସିଉକି, ଦୁଇ ସିଉକିରେ ଟଂ୫ ଅଧୁଲି, ୨ ଅଧୁଲିରେ ୧ ଟଙ୍କା, ଦଶ ମସା ଓଜନରେ ଏକଟଙ୍କା ହୁଏ, ୧୮୪ ଟଙ୍କାରେ ୧ ସେର ହୁଏ ଯେ ତାକୁ ବ୍ୟବହାରରେ ବୟାଳିଶି ସେର ବୋଲି କହନ୍ତି ଏବଂ ୧୦୬ ଟଙ୍କାରେ ଯେଉଁ ସେର ହୁଏ ତାକୁ ଚଉବନି ସେର କହନ୍ତି, ଆଉ ୮୦ ଟଙ୍କାରେ ଯେଉଁ ଏକ ସେର ହୁଏ, ତାହା ସର୍ବତ୍ର ସରକାରୀ ଓଜନରେ ବ୍ୟବହାର ହେଉଅଛି । ଏହିପରି ତିନି ପ୍ରକାର ସେର ଆମ୍ଭମାନଙ୍କର ଏହି ପ୍ରଦେଶରେ ପ୍ରଚଳିତ ହେଉଅଛି ।

Image

 

ହିସାବର ଲେଖିବା ଧାରା

 

ଆମ୍ଭମାନଙ୍କ ମଧ୍ୟରେ ଯାବନ୍ତ ଟଙ୍କା କଉଡ଼ିର ବ୍ୟବହାର କଲେ ତାହାର ଏକ ପତ୍ର ଲେଖି ରଖିବାର ବିଧି ସର୍ବସାଧାରଣରେ ଚଳି ଆସୁଅଛି, ତାହା ଏହି ।

 

କଡ଼ା । ଏହାକୁ କଡ଼ାଏ ବୋଲାଯାଏ ଏବଂ ଚାରିପଣ ଅବା ପଦିକାଏ କିମ୍ୱା ଚାରିଅଣା ଓ ଚାରିବିଶ୍ୱା ଇତ୍ୟାଦି କ୍ରମରେ ବୋଲାଯାଏ, ଫଳତଃ କଡ଼ା ଲେଖିବାର ରୀତି ଯେପରି ପଦିକା, ସିଉକି, ଇତ୍ୟାଦିମାନଙ୍କୁ ଲେଖିବାର ରୀତି ସେହିପରି, ଏହା ସମସ୍ତେ ଜାଣନ୍ତି । ଏକ କଡ଼ା, ଦୁଇ କଡ଼ା, ତିନି କଡ଼ା, ୧ ଟଣ୍ଡା, ଚାରି କଡ଼ାରେ ଗଣ୍ଡାଏ, ଚାରି ପଣରେ ପଦକାଏ; ଚାରିଅଣାରେ ସିଉକାଏ, ଏହିପରି ହୁଅଇ । ଗଣ୍ଡା, କାହାଣ, ଟଙ୍କା, ମାଣ; ବାଟି ଇତ୍ୟାଦିମାନଙ୍କର ଲେଖିବା ନିୟମ ୧।୨ ଏହି କ୍ରମରେ ଏକ ରୀତି ପ୍ରଚଳ ଅଟେ । ୫ ଗଣ୍ଡାରେ ଏକ ବୋଡ଼ି, ୪ ବୋଡ଼ିରେ ଅବା ୨୦ ଗଣ୍ଡାରେ ଏକପଣ, ଏକପଣ, ଦୁଇପଣ, ତିନିପଣ, ଚାରିପଣ, ପାଞ୍ଚପଣ, ଛପଣ, ସାତପଣ, ଆଠପଣ, ନଅପଣ, ଦଶପଣ, ଏଗାରପଣ, ବାରପଣ, ତେରପଣ, ଚୌଦପଣ, ପନ୍ଦରପଣ, ଷୋଳପଣରେ ୧ କାହାଣ । ପଣ ଅଣା ବିଶ୍ୱା ଏମାନଙ୍କୁ ଏକା ରୀତିରେ ଲେଖିବାକୁ ହୁଏ । ୫ ଏକ ପଇସା, ୪ ପଇସାରେ ଏକ ଅଣା, ୪ ଅଣାରେ । ଏକ ସିଉକା, ୧୬ ଅଣାରେ ୧ ଟଙ୍କା । ୫ ଏକ କାଣି, ୪ କାଣିରେ ବିଶ୍ୱା, ୧୬ ବିଶ୍ୱାରେ ୧ ଗୁଣ୍ଠ, ୬ । ଛଅଗୁଣ୍ଠ ଚାରି ବିଶ୍ୱାରେ ୧ ପା, ୪ ପାରେ ଅବା ୨୫ ଗୁଣ୍ଠରେ ୧ ମାଣ, ୨୦ ମାଣରେ ୧ ବାଟି, ଏହିପରି ସମସ୍ତ ଗଣନାମାନଙ୍କୁ ଅନୁମାନ କରି ଲେଖିବାକୁ ହେବ ।

Image

 

ବର୍ଣ୍ଣ

 

ବର୍ଣ୍ଣ ଅନେକ ପ୍ରକାର । ଯଥା- ଶୁକ୍ଳ ଅବା ଧବଳ, କୃଷ୍ଣ, ରକ୍ତ ଅବା ଲୋହିତ, କପିଶ, ଧୂମ୍ର, ପୀତ; ଏମାନଙ୍କର ଭାଷାରେ ନାମ ଏହି ଧୋବଲା, କଳା, ରଙ୍ଗ, ହଳଦିଆ, ସାଗୁଆ, ପାଣ୍ଡୁର ଇତ୍ୟାଦି ରୂପରେ ସମସ୍ତ ବର୍ଣ୍ଣମାନଙ୍କର ନାମ ବ୍ୟବହୃତ ହେଉଅଛି, କିନ୍ତୁ ଏହି ବର୍ଣ୍ଣମାନଙ୍କୁ ଅନ୍ୟୋଽନ୍ୟରେ ମିଶ୍ରିତ କଲେ ଭିନ୍ନ ଭିନ୍ନ ବର୍ଣ୍ଣମାନେ ପ୍ରକାଶ ହୁଅନ୍ତି । ଦେଖ, କୃଷ୍ଣ ଏବଂ ପୀତ ଏ ଦୁହିଙ୍କୁ ମିଶ୍ରିତ କଲେ ସାଗୁଆରଙ୍ଗ ହୁଅଇ । ଏହିପରି ଅନେକ ବର୍ଣ୍ଣ ଅଛି, ତାହା ଆପଣା ଅନୁମାନଦ୍ୱାରା ଏବଂ ବିଜ୍ଞବ୍ୟକ୍ତିର ଉପଦେଶଦ୍ୱାରା ଜାଣିବାକୁ ହେବ ।

Image

 

ରସ

 

ରସ ଛ ପ୍ରକାର ବୋଲି ସର୍ବସାଧାରଣରେ ବ୍ୟକ୍ତ ଅଛି, ତାହା ଏହି । ଯଥା-ମଧୁର, ଅମ୍ଳ, ରାଗ, ପିତା, ଲବଣ, କଷା ଏହି ପ୍ରକାର ଛ ରସ ନାନାବିଧ ଫଳମାନଙ୍କର ଆସ୍ୱାଦନରେ ଜଣାଯାଏ । ମାତ୍ର ଜଳର ସ୍ୱାଦୁ ସର୍ବଥା ଜଣାଯାଏ ନାହିଁ । କେବଳ କିଛି ବଷା ପଦାର୍ଥ ହରିଡ଼ା କିମ୍ୱା ଅଁଳା ଇତ୍ୟାଦି ଖାଇ ତତ୍ପରେ ଜଳ ଖାଇଲେ ମଧୁର ଲାଗେ, ଏହି କାରଣରୁ କେହି କେହି ପଦାର୍ଥବେତ୍ତାମାନେ ଜଳର ସ୍ୱାଦୁ ମଧୁର ବୋଲି କହିଅଛନ୍ତି, ମାତ୍ର ତାହା ସର୍ବସାଧାରଣର ମତ ନୁହେ ।

Image

 

ମାପର ପ୍ରମାଣ

 

ଛ ଗୋଟି ଋଶି ଧାଡ଼ି କରି ରଖି ଦେଲେ ଯେତେ ଲମ୍ୱ ହୁଏ, ତାକୁ ଏକ ଯବ କି ଏକ ଆଙ୍ଗୁଳ କହନ୍ତି । ଚାରିଯିବରେ ଏକ ମୁଷ୍ଟି ହୁଏ, ଛ ମୁଷ୍ଟି ଅର୍ଥାତ୍‌ ୨୪ ଯବରେ ଏକ ହାତ ହୁଏ, ଚାରି ହାତରେ ଏକ ଧନୁ ବୋଲାଯାଏ, ଦୁଇ ହଜାର ଧନୁରେ ଅର୍ଥାତ୍‌ ଆଠ ହଜାର ହାତରେ ଏକ କ୍ରୋଶ ହୁଏ, ଚାରି କ୍ରୋଶରେ ଏକ ଯୋଜନ ହୁଏ । ଏହିପରି ଆମ୍ଭମାନଙ୍କର ବ୍ୟବହାର ଚଳୁଅଛି, କିନ୍ତୁ ସରକାରୀ ମାପ ଭିନ୍ନ ପ୍ରକାର ପ୍ରଚଳିତ ଅଛି । ଯଥା-ବାର ଇଞ୍ଚରେ ଏକ ଫୁଟ, ଫୁଟକ ଷୋଳ ଆଙ୍ଗୁଳ, ତିନିଫୁଟରେ ଏକ ଗଜ, ଏକହଜାର ସାତଶ ଷାଠିଏ ଗଜରେ ଏକ ମାଇଲ, ଏପରି ସମସ୍ତ ମାପର ବ୍ୟବହାର ଦୁଇ ମତରେ ଆମ୍ଭମାନଙ୍କ ପ୍ରଦେଶରେ ଚଳୁଅଛି ।

Image

 

ପଦାର୍ଥର ପରିମାଣ

 

କେତେକ ଆକାରବିଶିଷ୍ଟ ପଦାର୍ଥମାନଙ୍କର ଲମ୍ୱ ଓସାର ବହୁଳ ଏହି ତିନି ପ୍ରକାର ପରିମାଣ ଜାଣିବାର ଆବଶ୍ୟକ, ସେଥିଯୋଗୁଁ ଲେଖା ଯାଉଅଛି । ଯଥା-

 

 

Image

 

ଏହି ନକ୍‌ସାକୁ ଏକଖଣ୍ଡି ଇଟା ଅବା ଗ୍ରସ୍ତର କି କାଷ୍ଠ ଇତ୍ୟାଦି ପଦାର୍ଥ କଳ୍ପନା କର । ଏହାର ମାପ କିପରି କରାଯିବ ଦେଖ; ପଦାର୍ଥର ଯେଉଁ ଅଂସ ଅଧିକ ବିସ୍ତାର ଅର୍ଥାତ୍‌ ଏହି ନକ୍‌ସାର କ ଖ ଅଂଶକୁ ଦୀର୍ଘ ଅବା ଲମ୍ୱ ବୋଲାଯାଏ । ଯେଉଁ ଅଂଶ ଅଳ୍ପ ବିସ୍ତାର ଅର୍ଥାତ୍‌ ଏହି ନକ୍‌ସାର ଗ ଘ ଅଂଶକୁ ପ୍ରତି ଅବା ଓସାର ବୋଲାଯାଏ, ଆଉ ଯେଉଁ ଅଂଶ ଉଚ୍ଚ ଅର୍ଥାତ୍‌ ଉକ୍ତ ନକ୍‌ସାର ଚ ଛ ଅଂଶକୁ ଉତ୍ସର୍ଗ ଅବା ବହଳ ବୋଲାଯାଏ ।

Image

 

ଧାତୁ

 

ମନୁଷ୍ୟମାନଙ୍କର ଗୃହୋପକରଣ ଏବଂ ବ୍ୟବହାରୀୟ ପଦାର୍ଥସମୂହର ଅନେକାଂଶ ଧାତୁନିର୍ମିତ ପଦାର୍ଥ ଦେଖାଯାଏ, ଅତଏବ ଧାତୁମାନଙ୍କର ବିଷୟ ପ୍ରକାଶ କଲେ ତାହା ବାଳକମାନଙ୍କର ଶିକ୍ଷୋପଯୋଗୀ ହେବାର ସମ୍ଭାବନା । ଯେହେତୁ ଦେଖ; ବ୍ୟବହାରୀୟ ପଦାର୍ଥମାନଙ୍କ ମଧ୍ୟରେ ଢାଳ, ଅବା ଲୋଟା, କଂସା, ଗିନା, ପିତ୍ତଳ, ଗରା ଇତ୍ୟାଦି ସମୁଦାୟ ପାତ୍ର ଧାତୁନିର୍ମିତ ବିନା ଅନ୍ୟ କିଛି ନୁହେ । ଧାତୁମୟ ପଦାର୍ଥ ସକଳ ମୁତ୍ତିକାଦି ସମସ୍ତ ପଦାର୍ଥ ଅପେକ୍ଷା ଅତିଶୟ ଭାରି ଦେଖାଯାଏ, ଏବଂ ଧାତୁମାନଙ୍କ ଯତ୍ନଦ୍ୱାରା ଅତି ପାତଳପତ୍ର ଓ ସବୁ ତାର କରାଯାଇ ପାରେ । ଆଉ ମଧ୍ୟ ସେହି ସରୁ ତାରରେ ଅନେକ ଭାରିପଦାର୍ଥ ବାନ୍ଧି ଝୁଲାଇଲେ ଛିଡ଼ିପଡ଼େ ନାହିଁ । ଧାତୁସକଳ ଖଣିରୁ ବାହାର ହୁଏ । ସୁବର୍ଣ୍ଣ, ରୌପ୍ୟ, ଲୌହ, ସୀସା, ତାମ୍ୱ୍ର, ରଙ୍ଗ ବା ରସ, ପାରଦ ଇତ୍ୟାଦି ସକଳପଦାର୍ଥକୁ ଧାତୁ ବୋଲାଯାଏ ।

Image

 

ସୁବର୍ଣ୍ଣ

 

ସୁବର୍ଣ୍ଣ ହାରଦ୍ରବର୍ଣ୍ଣ ଅତି ନିର୍ମଳ, ସୁବର୍ଣ୍ଣକୁ ଅଗ୍ନିରେ ପୋଡ଼ିଲେ କିଛି ତୁଟି ହୁଏ ନାହିଁ ଏବଂ ଅଧିକ ଜ୍ୟୋତିଃ ବଢ଼େ । ସୁବର୍ଣ୍ଣକୁ ସମସ୍ତ ଧାତୁମାନଙ୍କ ଅପେକ୍ଷା ଉତ୍କୃଷ୍ଟ ଧାତୁ ବୋଲି ଗଣନା କରାଯାଏ ଏବଂ ସମସ୍ତ ଧାତୁମାନଙ୍କଠାରୁ ସୁବର୍ଣ୍ଣର ମୂଲ୍ୟ ବିଶେଷ ହୁଏ । ଏକ ସର୍ଷପପ୍ରମାଣ ସୁବର୍ଣ୍ଣ ପୋଡ଼ି ପିଟିଲେ ନଅ ଅଙ୍ଗୁଳ ପତ୍ର ପ୍ରସ୍ତୁତ ହୋଇପାରେ । ଆଉ ଏକ ଯବ ପ୍ରମାଣ ସୁବର୍ଣ୍ଣ ତାରରେ ୫ ମହଣରୁ ଅଧିକ ପଦାର୍ଥ ବାନ୍ଧି ଝୁଲାଇଲେ ଛିଡ଼ି ପଡ଼େ ନାହିଁ । ସୁବର୍ଣ୍ଣ ଜଳଠାରୁ ଊଣୋଇଶଗୁଣ ଭାରି । ଏଥିରେ ମନୁଷ୍ୟମାନଙ୍କର ଅନେକ ଅଳଙ୍କାର ପ୍ରସ୍ତୁତ କରାଯାଏ; ସୁବର୍ଣ୍ଣରେ ସିଉକି, ଅଧୁଲି, ଟଙ୍କା ଏପରି ମୁଦ୍ରା ସବୁ ପ୍ରସ୍ତୁତ ହୁଏ । ଏହି ମୁଦ୍ରାସକଳକୁ ଅସର୍ପି ମୋହର ଅବା ସୁନିୟା କହନ୍ତି । କିନ୍ତୁ ଏହି ସୁବର୍ଣ୍ଣର ଭୁଷଣ କିମ୍ୱା ମୁଦ୍ରା ଯାହାଠାରେ ଥାଏ, ତାହାକୁ ଧନୀ ବୋଲି କହନ୍ତି । ଏ ପଦାର୍ଥ ସମସ୍ତଲୋକଙ୍କୁ ମିଳେ ନାହିଁ, ଏହି କାରଣରୁ ଏହାର ମୁଳ୍ୟ ଅଧିକ ହୁଏ ।

Image

 

ରୌପ୍ୟ

 

ରୌପ୍ୟ ଅର୍ଥାତ୍‌ ରୁପା ଦେଖିବାକୁ ଶୁକ୍ଳ ଓ ଉଜ୍ଜ୍ୱଳ, ଜଳ ଅପେକ୍ଷା ୧୧ ଗୁଣ ଭାରି । ସୁବର୍ଣ୍ଣରେ ଯେପରି ପାତଳ ପତ୍ର ଏବଂ ତାର ପ୍ରସ୍ତୁତ ହୁଏ, ରୁପାରେ ମଧ୍ୟ ସେହିପରି ହୋଇପାରେ; ରୌପ୍ୟରେ ମନୁଷ୍ୟମାନଙ୍କର ଭୂଷଣ ନିମିତ୍ତ ନାନାବିଧ ଅଳଙ୍କାର ପ୍ରସ୍ତୁତ ହୁଏ ଏବଂ ଟଙ୍କା, ଅଧୁଲି, ସିଉକି, ଦୋଅଣି ଇତ୍ୟାଦି କ୍ରମରେ ଅନେକ ପଦାର୍ଥ ପ୍ରସ୍ତୁତ ହୁଏ । ଏହି ରୁପାର ଏକ ଯବପ୍ରମାଣ ତାରରେ ୪ ମହଣରୁ ଅଧିକ ପଦାର୍ଥ ବାନ୍ଧି ଝୁଲାଇଲେ ଛିଡ଼ି ପଡ଼େ ନାହିଁ । ଅନେକ ଧନୀବ୍ୟକ୍ତି ରୁପାରେ ଢାଳ, ଗଡ଼ୁ, ଗିନା, ଥାଳି, ପାନବଟା, ଅତରଦାନୀ ଇତ୍ୟାଦି ପାତ୍ର ସବୁ ପ୍ରସ୍ତୁତ କରାଇ ବ୍ୟବହାର କରନ୍ତି; ଯେବେତୁ ରୁପା ସୁବର୍ଣ୍ଣ ଛଡ଼ା ଅନ୍ୟ ଧାତୁମାନଙ୍କ ଅପେକ୍ଷା ବିଶେଷ ମୂଲ୍ୟବାନ୍‌ ପଦାର୍ଥ ବୋଲି ପରିଗଣିତ ଅଟେ ।

Image

 

ଲୌହ

 

ଲୌହ ଅର୍ଥାତ୍‌ ଲୁହା ଦେଖିବାକୁ କୃଷ୍ଣବର୍ଣ୍ଣ ମାତ୍ର ସାଣରେ କିମ୍ୱା ଅନ୍ୟ ପ୍ରକାରରେ ନିର୍ମଳ କରାଇଲେ କିଛି ଶୁକ୍ଳ ଦିଶେ । ଏହି ଲୁହାରେ ମନୁଷ୍ୟମାନଙ୍କ ବ୍ୟବହାରୀୟ କୁରାଢ଼ି, ଛୁରୀ, ଖଣତି, ଖଣ୍ଡା, ସୂଚି, କରଚୁଳୀ, କୋଲପ ଇତ୍ୟାଦି ଅନେକ ପଦାର୍ଥ ପ୍ରସ୍ତତ ହୁଏ । ମଧ୍ୟ କୃଷକମାନଙ୍କ କୃଷି କାର୍ଯ୍ୟ ନିମିତ୍ତ ଯାବନ୍ତ ଶସ୍ତ୍ର ଏହି ଲୁହାରେ ପ୍ରସ୍ତୁତ ହୁଏ । ଲୁହା ଅନେକ ସ୍ଥାନରେ ଖଣିରୁ ପ୍ରାପ୍ତ ହୁଏ । ଏଥିରୁ ଅତି ସୂକ୍ଷ୍ମ ତାର ପ୍ରସ୍ତୁତ ହୋଇ ପାରେ । ସକଳ ଧାତୁମାନଙ୍କ ମୂଲ୍ୟର ଇୟତ୍ତା କରା ଯାଇ ପାରେ, କିନ୍ତୁ ଲୁହାର ମୂଲ୍ୟ ନିଶ୍ଚୟ ହୋଇ ନ ପାରେ । ଦେଖ, ପଲେ ଲୁହା ପଇସାଏ ବା ଅଧଲାକରେ ବିକା ହୁଏ, ଯେବେ ପଲେ ଲୁହା ସଫା କରି କିଛି ଉତ୍ତମ ଅସ୍ତ୍ର ନିର୍ମାଣ କରାଯାଏ, ତେବେ ତାହାର ମୂଲ୍ୟ ପଞ୍ଚିଶ ଅବା ପଞ୍ଚାଶ ଟଙ୍କା କିମ୍ୱା ତହିଁରୁ ଅଧିକ ହୁଏ । ଲୁହା ଅନ୍ୟ ଧାତୁମାନଙ୍କ ଅପେକ୍ଷା ବଡ଼ କଠିନ ପଦାର୍ଥ, ଅତିଶୟ ଅଗ୍ନିର ଉତ୍ତାପ ନ ହେଲେ ତରଳ ହୁଏ ନାହିଁ । ଲୁହାର ଏକ ଯବ ପ୍ରମାଣ ତାରରେ ଛ ସାତ ମହଣ ଭାରି ପଦାର୍ଥ ବାନ୍ଧି ଝୁଲାଇଲେ ଛିଡ଼ି ପଡ଼େ ନାହିଁ । ଲୌହ ଜଳଠାରୁ ପ୍ରାୟ ୭/୮ ଗୁଣ ଭାରି ଅଟେ ।

Image

 

ସୀସା

 

ସୀସା ଦେଖିବାକୁ କିଛି ଶୁକ୍ଳ ଏବଂ ଅନ୍ୟ ଧାତୁମାନଙ୍କ ଅପେକ୍ଷା ବଡ଼ କୋମଳ ପଦାର୍ଥ, ଜଳଠାରୁ ୧୧ ଗୁଣ ଭାରି ସୀସାରେ ଗୁଳି, ପେନସିଲ ଇତ୍ୟାଦି ପଦାର୍ଥ ପ୍ରସ୍ତୁତ ହୁଏ, ମଧ୍ୟ ରସାଞ୍ଜନକୁ ସୀସାରେ ମିଶାଇ ଛାପିବା ଅକ୍ଷର ନିର୍ମାଣ କରନ୍ତି । ସୀସା ଅନ୍ୟ ଧାତୁମାନଙ୍କ ଅପେକ୍ଷା ଅଳ୍ପ ଉତ୍ତାପରେ ତରଳ ହୋଇଯାଏ, ଅଧିକ ଉତ୍ତାପ ପାଇଲେ ତାହାର ଅଣୁମାତ୍ର ରହେ ନାହିଁ । ସୀସା ଅଧିକ ମୂଲ୍ୟର ପଦାର୍ଥ ନୁହେ ।

Image

 

ତାମ୍ର

 

ତାମ୍ର ଅର୍ଥାତ୍ ତମ୍ୱା ଦେଖିବାକୁ ରକ୍ତବର୍ଣ୍ଣ ଅତିସୁନ୍ଦର । ଏହା ଅଳ୍ପ ଅଗ୍ନି ଉତ୍ତାପରେ ତରଳ ହୋଇଯାଏ, ଏହାକୁ ପୋଡ଼ି ପିଟିଲେ ଉତ୍ତମ ପତ୍ର ସୂକ୍ଷ୍ମ ତାର ହୋଇ ପାରେ ନାହିଁ । ତମ୍ୱାରେ ଗଡ଼ୁ, ପାତ୍ରୀ ଇତ୍ୟାଦି ଅନେକ ପାତ୍ର ପ୍ରସ୍ତୁତ ହୁଏ ଏବଂ ପଇସା, ଅଧଲା, ପାହୁଲା ଏ ମୁଦ୍ରା ସକଳ ପ୍ରସ୍ତୁତ ହୁଏ । ତମ୍ୱାର ଏକ ଯବ ତାରରେ ତିନି ମହଣରୁ ଅଧିକ ଦ୍ରବ୍ୟ ବାନ୍ଧି ଝୁଲାଇଲେ ଛିଡ଼ି ପଡ଼େ ନାହିଁ । ତମ୍ୱାର ପତ୍ର କରି ଜାହାଜ ତଳପଟାରେ ମଡ଼ାନ୍ତି; କାରଣ ଏହି ଯେ, ଶାମୂକାଦି କୌଣସି ଜନ୍ତୁ ଭେଦି ପାରନ୍ତି ନାହିଁ କିମ୍ୱା ଜଳର ଆଘାତ ଲାଗେ ନାହିଁ; ଅତଏବ ଏକ ଜାହାଜରେ ବହୁକାଳ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ ହୁଏ । ଏକଭାଗ ଖପର ଦୁଇଭାଗ ତମ୍ୱା ମିଶାଇ ଅଗ୍ନିରେ ଆଉଟିଲେ ପିତ୍ତଳ ପ୍ରସ୍ତୁତ ହୁଏ । ପିତ୍ତଳ ଦେଖିବାକୁ ଅତି ସୁନ୍ଦର ହାରିଦ୍ରବର୍ଣ୍ଣ, ଏଥିରେ ଢାଳ, ଗରା, ପିକଦାନୀ ଇତ୍ୟାଦି ବ୍ୟବହାରୀୟ ପଦାର୍ଥ ପ୍ରସ୍ତୁତ ହୁଏ ଏବଂ ଦରିଦ୍ର ଲୋକଙ୍କର ସ୍ତ୍ରୀ ବାଳକମାନେ ଏହି ପିତ୍ତଳର ଅଳଙ୍କାରଦ୍ୱାରା ଭୂଷିତ ହୁଅନ୍ତି । ତମ୍ୱାରେ ଯେବେ ଶୀଘ୍ର କଳଙ୍କ ଲାଗେ, ପିତ୍ତଳରେ ତେତେ ଶୀଘ୍ର ଲାଗଇ ନାହିଁ ।

Image

 

ରସ

 

ରସ ଦେଖିବାକୁ ଶୁକ୍ଳ, ଉଜ୍ୱଳ ଓ ବଡ଼ କୋମଳ; କିନ୍ତୁ ସୀସାଠାରୁ କିଛି କଠିନ, ଜଳଠାରୁ ସାତଗୁଣ ଭାରି ସମସ୍ତ ଧାତୁମାନଙ୍କ ଅପେକ୍ଷା ଲଘୁ ଅର୍ଥାତ୍‌ ଉଶ୍ୱାସ । ରସରେ ଦରିଦ୍ରଲୋକଙ୍କ ସ୍ତ୍ରୀମାନେ ନାନାବିଧ ଅଳଙ୍କାର ପିନ୍ଧନ୍ତି । ରସ ଓ ତମ୍ୱା ଏହି ଦୁହିଙ୍କ ମିଶ୍ରିତ କଲେ ଉତ୍ତମ କଂସା ପ୍ରସ୍ତୁତ ହୁଏ । କଂସା ଦେଖିବାକୁ ଶୁକ୍ଳ ଓ ବଡ଼ କଠିନ ପଦାର୍ଥ । କଂସାରେ ମନୁଷ୍ୟମାନଙ୍କ ବ୍ୟବହାରୀୟ ପାତ୍ର ଗିନା ବା ତାଟିଆ, ଥାଳି ଇତ୍ୟାଦି ପ୍ରସ୍ତୁତ ହୁଏ ।

Image

 

ପାରଦ

 

ପାରଦ ଅର୍ଥାତ୍‌ ପାରା ଅତି ଶୁକ୍ଳ ଏବଂ ତରଳ ପଦାର୍ଥ । ପାରାକୁ ହାତରେ ଧରି ରଖିଲେ ଅଙ୍ଗୁଳି ସନ୍ଧିମାନଙ୍କରେ ବାଲି ପ୍ରାୟ କ୍ଷୁଦ୍ର କ୍ଷୁଦ୍ର ହୋଇ ବାହାରି ପଡ଼େ ଏବଂ ଯେତେ ଖଣ୍ଡ ହୋଇଥାଏ, ସମସ୍ତଖଣ୍ଡ ଗୋଲାକାର ହୁଏ । ପାରା ଜଳ ଅପେକ୍ଷା ଚୌଦଗୁଣ ଭାରି; ପାରାକୁ ଅଗ୍ନିରେ ରଖିଲେ ଅତିଶୟ ତରଳ ହୋଇ ପରିଶେଷରେ କଠିନ ହୋଇଯାଏ । ପାରାକୁ ବିଷାୟନ ପଦାର୍ଥ ବୋଲି ଗଣନା କରନ୍ତି; ଯେହେତୁ ପାରାକୁ କୌଣସି ପଦାର୍ଥ ସଙ୍ଗେ ଖାଇଲେ ନାନା ଅନିଷ୍ଟମାନ ଜନ୍ମାଏ । ପାରା ଏମନ୍ତ ତରଳ ପଦାର୍ଥ, କିନ୍ତୁ ତାକୁ ଅତି ହିମପ୍ରଧାନ ଦେଶକୁ ନେଇଗଲେ ଅନ୍ୟ ଧାତୁମାନଙ୍କ ପ୍ରାୟ କଠିନ ହୋଇଯାଏ । ପାରାକୁ କୌଣସି ନିୟମଦ୍ୱାରା ଗାଢ଼ କରି କାଚର ପୃଷ୍ଠଭାଗରେ ଲଗାଇଲେ ସେହି କାଚରେ ପ୍ରତିବିମ୍ୱ ଦେଖାଯାଏ । ଏମନ୍ତ କାଚକୁ ଦର୍ପଣ କହନ୍ତି ।

Image

 

କାଚ

 

କାଚ ଅତି କଠିନ ପଦାର୍ଥ ଏବଂ ଭଙ୍ଗପ୍ରବଣ ଅର୍ଥାତ୍‌ କିଛି ଆଘାତ ପାଇଲେ ଶୀଘ୍ର ଭାଜି ଯାଏ । ଅନ୍ୟ ଧାତୁସକଳ ଭାଜିଗଲେ ଯୋଡ଼ି ହୁଅନ୍ତି, ମାତ୍ର କାଚ ଭାଜିଗଲେ ଯୋଡ଼ି ହୁଏ ନାହିଁ । କାଚ ଅତି ସ୍ୱଚ୍ଛପଦାର୍ଥ, ଏହି କାରଣରୁ କାଚରେ ପ୍ରତିମୂର୍ତ୍ତି ପଡ଼େ, ଏହି କାଚରେ ପାଲିଙ୍କିର ବାଡ଼ କିମ୍ୱା ଘରର କବାଟ ଓ ଜଳାକବାଟି ହୋଇଥିଲେ ଭିତରେ ଅନ୍ଧକାର ରହେ ନାହିଁ, ସୂର୍ଯ୍ୟ ଚନ୍ଦ୍ରଙ୍କର ଆଲୋକ ଫୁଟି ଦୃଶ୍ୟ ହୁଏ, ଏହିକାରଣରୁ କାଚକୁ ସର୍ବସାଧାରଣରେ ଆଦର କରନ୍ତି । କାଚରେ ବୋତଲ, ସିସୀ ଇତ୍ୟଦି ପଦାର୍ଥ ସକଳ ପ୍ରସ୍ତୁତ ହୋଇ ଜନସମାଜରେ ବ୍ୟବହାର ହୁଏ । କାଚ ଏକପ୍ରକାର ଖାର ଏବଂ ବାଲି ଏ ଦୁଇ ପଦାର୍ଥରେ ପ୍ରସ୍ତୁତ ହୁଏ । କାଚ କୌଣସି ଶସ୍ତ୍ରଦ୍ୱାରା କଟା ଯାଇ ନ ପାରେ, କେବଳ ହୀରାରେ କଟା ଯାଇ ପାରେ, ଏହିହେତୁରୁ ହୀରାକଣି ଡାଫଣପ୍ରାୟ ଶସ୍ତ୍ରର ଅଗ୍ରଭାଗରେ ରଖିଥାନ୍ତି ଯେ ତହିଁରେ କାଚ କାଟିବା କାର୍ଯ୍ୟ ହୁଅଇ ।

Image

 

ହୀରକ

 

ହୀରକ ଅର୍ଥାତ୍‌ ହୀରା ଅତି ନିର୍ମଳ ପ୍ରସ୍ତରବିଶେଷ, ହୀରା ଖଣିରୁ ଉତ୍ପନ୍ନ ହୁଏ । ଯେତେବେଳେ ଖଣିରୁ ଜନ୍ମେ, ତେତେବେଳେ ହୀରାର ତାଦୃଶ ଉଜ୍ଜ୍ୱଳ ଗୁଣ ନ ଥାଏ, ବରଂ ମଳିନତା ପ୍ରକାଶ ହେଉଥାଏ । ତାହାକୁ ଖଣିରୁ ନେଇ କୌଣସିପ୍ରକାରେ ପରିଷ୍କାର କଲେ ତାହାର ଉଜ୍ଜ୍ୱଳତା ଜନ୍ମେ । ବିଶୁଦ୍ଧ ହୀରା ଜଳବିନ୍ଦୁପ୍ରାୟ ନିର୍ମଳ ଦିଶୁଥାଏ । ଏମନ୍ତ ହୀରା ଅତିଶୟ ମୂଲ୍ୟବାନ୍‌ । ହୀରା ଶୁକ୍ଳବର୍ଣ୍ଣ ଅଟେ, ସେହି ଶୁକ୍ମତାରେ କୌଣସି ହୀରା ନ୍ୟୂନ ହେଲେ ତାହାର ମୂଲ୍ୟ ନ୍ୟୂନ ହୁଏ । ଅତଏବ ତାକୁ ପରୀକ୍ଷକମାନେ ଚିହ୍ନିବା ନିମିତ୍ତ ତାହାର ସଂଜ୍ଞା ଚାରି ପ୍ରକାର କରିଅଛନ୍ତି । ଯଥା-ବ୍ରହ୍ମ ଜାତି, କ୍ଷତ୍ରିୟ ଜାତି, ବୈଶ୍ୟ ଜାତି, ଶୂଦ୍ର ଜାତି । ଏପରି ଶୁଣା ଯାଇଅଛି ଯେ, ପାଞ୍ଚକୋଟି ଟଙ୍କାରୁ ଅଧିକ ମୂଲ୍ୟର ଖଣ୍ଡେ ହୀରା ବିକ୍ରୟ ହୋଇଅଛି । ଅତଏବ ହୀରାର ମୂଲ୍ୟର ଇୟତ୍ତା ନାହିଁ । ହୀରା କେବଳ ଦେଖିବାକୁ ଉଜ୍ଜ୍ୱଳ ଏବଂ ସେ କାଚ କାଟିବା ବ୍ୟତିରେକେ ଅନ୍ୟ କି କର୍ମରେ ଆସେ, ତାହା କୁହାଯାଇ ନ ପାରେ; କିନ୍ତୁ ମନୁଷ୍ୟମାନେ ଏତେ ଏତେ ଦ୍ରବ୍ୟ ଦେଇ ବହୁ ଆଗ୍ରହରେ ହୀରା କ୍ରୟ କରୁଥିବାରୁ ତାହାକୁ ଅବଶ୍ୟ ଅନ୍ୟାନ୍ୟ ମଣି ପ୍ରବାଳାଦି ଅପେକ୍ଷ-। ପ୍ରଧାନ ରତ୍ନ ବୋଲି ଜ୍ଞାନ କରିବାକୁ ହେବ ।

Image

 

ଜଳ

 

ଜଳ ଅତି ତରଳପଦାର୍ଥ, ତାହା ଧାରା ହୋଇ ବହିଯାଏ, କୌଣସି ସ୍ଥାନରେ ରହିବାର ଆଧାର ନ ପାଇଲେ ସ୍ଥିର ହୋଇ ରହି ନ ପାରେ । ବହୁଜଳ ଯେଉଁଠାରେ ସଞ୍ଚିତ ହୋଇ ରହିଥାଏ, ତାକୁ ହ୍ରଦ ଅବା ପୁଷ୍କରିଣୀ କହନ୍ତି ଏବଂ ରାଣୀକୃତ ହୋଇ ଯେଉଁ ଜଳ ପୃଥିବୀକୁ ଘେରି ରହିଅଛି, ତାକୁ ସମୁଦ୍ର କୁହାଯାଏ । ସମୁଦ୍ରର ଜଳ ଅତିଶୟ ଲୁଣି ହେବାରୁ କେହି ଖାନ୍ତି ନାହିଁ । ଜାହାଜିମାନେ କଳଦ୍ୱାରା ସେ ଜଳକୁ ପାକ କରି ତାହାର ଲବଣାଂଶ ବାହାର କରିଦେଇ ସେ ଜଳକୁ ଖାନ୍ତି । ସମୁଦ୍ରର ସୀମା ନାହିଁ, ଏହିଯୋଗୁଁ ତାହାକୁ ଅପାର ସମୁଦ୍ର ବୋଲି କହନ୍ତି । ସମୁଦ୍ରର ସବୁଠାରେ ସମାନଭାବରେ ଜଳ ନାହିଁ । କେଉଁଠାରେ ଏତେ ଅଳ୍ପ ଜଳ ଯେ ପ୍ରାୟ ଦୁଇ ତିନିହାତ ହେବ; ପୁଣି କେଉଁଠାରେ ସ୍ଥଳ ମିଳେ ନାହିଁ, ସେ ସ୍ଥାନକୁ ଅଥଳ ଅବା ଅତଳସ୍ପର୍ଶ କହନ୍ତି । ସମୁଦ୍ରର କୂଳବର୍ତ୍ତୀ ସ୍ଥାନରେ ଅଳ୍ପ ଜଳ ଥାଏ, ଏହି କାରଣରୁ ନିରନ୍ତର ଘନ ଘନ ଲହରୀ ପ୍ରକାଶ ହୋଇ ଘୋରତର ଗର୍ଜନ ଶୁଭେ । ଅତି ଭିତରଭାଗରେ ଏପରି ଗଭିର ଜଳ ଯେ, ତାହା ସ୍ଥିର ହୋଇଥାଏ, ବାୟୁଦ୍ୱାରା ତାଦୃଶ କମ୍ଫମାନ ହେବାର ପ୍ରକାଶ ହୁଏ ନାହିଁ । କେତେକ ବ୍ୟକ୍ତି ସମୁଦ୍ରର ଗଭୀରତାର ପ୍ରମାଣ ବୁଝିବା ସକାଶେ ଅନେକ ଯତ୍ନ କରି ହତାଶ ହୋଇଥିବାର ଶୁଣାଯାଏ ।

 

ସମୁଦ୍ରର ବୃଦ୍ଧି କ୍ଷୟକୁ ଜୁଆର ଓ ଛାଡ଼େଣୀ କହନ୍ତି । ସମୁଦ୍ର କୃଷ୍ଣ ଓ ଶୁକ୍ଳପକ୍ଷରେ ଚନ୍ଦ୍ରର ଉଦୟ ଅସ୍ତ କ୍ରମରେ ବୃଦ୍ଧି ଓ କ୍ଷୟ ହୁଏ । ତାହାର କାରଣ ଏହି ଯେ ଚନ୍ଦ୍ରକିରଣ ଜଳକୁ ଆକର୍ଷଣ କରିବାରୁ ଜଳ ଉଚ୍ଛ୍ୱସିତ ହୁଏ, ଏହାକୁ ଜୁଆର କହନ୍ତି ଏବଂ ଚନ୍ଦ୍ର ଅସ୍ତ ହେଲେ ସେହି ଉଚ୍ଛୁଳିବା ଅଂଶ ସ୍ଥିର ହୋଇଯାଇ ପୂର୍ବଭାବକୁ ପ୍ରାପ୍ତ ହୁଏ, ତାକୁ ଛାଡେଣୀ କହନ୍ତି ।

 

ଜାହାଜିମାନେ ଜାହାଜ ନେଇ ଅନେକ ବର୍ଷ ପର୍ଯ୍ୟନ୍ତ ବୁଲି ଦ୍ୱୀପ ଉପଦ୍ୱୀପମାନଙ୍କରେ ନାନାପ୍ରକାର ବାଣିଜ୍ୟାଦି କରି ଧନ ଉପାର୍ଜନ କରନ୍ତି । ସେମାନେ ଯେତେ ଦୂର ଜଳ ମଧ୍ୟରେ ଗଲେ ମଧ୍ୟ ସମୁଦ୍ରର କୂଳ ପାଆନ୍ତି ନାହିଁ, ମାତ୍ର ପଥଭ୍ରମ-ହୁଏ ନାହିଁ । କାରଣ ସେମାନଙ୍କ ନିକଟରେ ଏକ ଯନ୍ତ୍ର ଥାଏ ଯେ, ସେ ଯନ୍ତ୍ରର ଅଗ୍ରଭାଗ ଏବଂ ଶେଷଭାଗ ଉତ୍ତର ପକ୍ଷିଣ ଦିଗ ବିନା ଅନ୍ୟଦିଗକୁ ଚଳେ ନାହିଁ । ସେହି ଯନ୍ତ୍ର ଦୃଷ୍ଠିରେ ଜାହାଜମାନେ ଦିଗ ଅନୁସନ୍ଧାନ କରି ନାନା ଦେଶମାନଙ୍କୁ ଗମନ କରନ୍ତି । ସେ ଯନ୍ତ୍ରର ନାମ ଦିଗ୍ବାରଣ ଯନ୍ତ୍ର । ସୂର୍ଯ୍ୟ ଯେଉଁଦିଗରେ ଉଦୟ ହୁଅନ୍ତି, ସେ ପୂର୍ବଦିଗ ଏବଂ ଯେଉଁ ଦିଗରେ ଅସ୍ତ ହୁଅନ୍ତି, ସେ ପଶ୍ଚିମଦିଗ । ସୂର୍ଯ୍ୟଙ୍କର ଉଦୟଦିଗକୁ ମୁଖ କରି ଠିଆ ହେଲେ ଡାହାଣଦିଗକୁ ଦକ୍ଷିଣ ଓ ବାମ ଦିଗକୁ ଉତ୍ତର ଦିଗ ବୋଲାଯାଏ । ଏହିପରି ଦିଗ ସକଳର ବିବେଚନା କରି ବି ସ୍ଥଲ ଭି ଜଳ ସକଳ ସ୍ଥାନରେ ମନୁଷ୍ୟମାନେ ଗତାୟାତ କରନ୍ତି ।

Image

 

ପର୍ବତ

 

ଅତ୍ୟୁଚ୍ଚ ପ୍ରସ୍ତରମୟ ଭୂମିକୁ ପର୍ବତ ବୋଳାଯାଏ । ପର୍ବତର ସମସ୍ତ ଅଂଶ ସମାନ ଅଥବା ଭୂମି ସମତୁଲ ନୁହେ । ପର୍ବତ ଉପରେ ଅନେକାଂଶରେ ଅରଣ୍ୟ ଦେଖାଯାଏ, ସେହି ଅରଣ୍ୟ ମଧ୍ୟରେ ବ୍ୟାଘ୍ର, ଭଲ୍ଲୁକ ପ୍ରଭୃତି ନାନା ବଣ୍ୟପଶୁମାନେ ଥାନ୍ତି । ସେ ପର୍ବତମାନଙ୍କର କୌଣସି କୌଣସି ସ୍ଥଳରେ ଜଳର ଝରମାନ ଥାଏ, ସେ ଝରଜଳ ବହିଯାଇ ସର୍ବଦା ଖାଲ ଭୂମିମାନଙ୍କରେ କି କୁଣ୍ଡମାନଙ୍କରେ ପରିପୂର୍ଣ୍ଣ ହୋଇରହେ । ଏବଂ ସେହିକୁଣ୍ଡର ଜଳ କୌଣସି ସ୍ଥାନରେ ଉଷ୍ଣ ଜଳତୁଲ୍ୟ କୈାଣସି ସ୍ଥାନରେ କୁଆପଥର ସମାନ ଶୀତଳ ହୋଇଥାଏ । ଭୂମି ନିମ୍ନଭାଗରେ ବହୁତର ଗନ୍ଧକ ଅବା ପାରାଖଣି ଥିବା ହେତୁ ତହିଁର ଉଷ୍ଣତାଯୋଗୁଁ ମୃତ୍ତିକା ଅତି କଠିନ ହୋଇ, ପ୍ରସ୍ତର ବିକାରକୁ ଭଜି, ଊର୍ଦ୍ଧ୍ୱଭାଗକୁ ବୃଦ୍ଧି ଭାବରେ ଉଠି, ପର୍ବତ ନାମରେ ପ୍ରକାଶ ପାଏ, ମାତ୍ର ତାହାର ନିଶ୍ଚୟାତ୍ମକ ବୋଧକତା କାହାରି ହୋଇ ପାରି ନାହିଁ ।

Image

 

ଗନ୍ଧକାଦି ଧାତୂ

 

ଗନ୍ଧକ, ମହିରଗିରିୟା, ମନଶୀଳ ଇତ୍ୟାଦି କେତେକ ଧାତୁ ଭୂମିରୁ ଜନ୍ମନ୍ତି । ସେମାନଙ୍କୁ ବିଷାୟନ ଅର୍ଥାତ୍‌ ବିଷାକ୍ତ ପଦାର୍ଥ ମଧ୍ୟରେ ଗଣନା କରାଯାଏ, ଯେହେତୁ ଉକ୍ତ ପଦାର୍ଥମାନଙ୍କୁ ସଂଶୋଧନ ନ କରି ସେହିପରି ସଦ୍ୟଃ ଖାଇଲେ ଶରୀରର ଅନିଷ୍ଟଜନକ ହୁଏ । କେତେକ ବ୍ୟକ୍ତି ଉକ୍ତ ପଦାର୍ଥ ମଧ୍ୟରୁ ମନଶୀଳ ପ୍ରଭୃତି ଖାଇ ପ୍ରାଣରେ ନାଶ ହୋଇଅଛନ୍ତି । ଏହି ପଦାର୍ଥମାନଙ୍କର ଗନ୍ଧ ଏମନ୍ତ କଟୁ ଯେ, ଜଳମଧ୍ୟରେ ତହିଁରୁ କିଛି ନିକ୍ଷେପ କରି ଦେଲେ ମତ୍ସ୍ୟାଦିମାନେ ସେହି ଗନ୍ଧର ପୀଡ଼ା ସହି ନ ପାରି କିଛି କ୍ଷଣରେ ମରଣାବସ୍ଥାକୁ ପ୍ରାପ୍ତ ହୁଅନ୍ତି, ଏବଂ କେତେକ ସ୍ଥାନରେ ଭୂମିର ଅଧୋଭାଗରେ ଉକ୍ତ ଧାତୁ ପ୍ରଭୃତି ଥିବାଯୋଗୁଁ ତଦୁର୍ଦ୍ଧ୍ୱରେ ଥିବା ଜଳପ୍ରସ୍ରବଣର ଜଳ ସର୍ବଦା ଅତ୍ୟୁଷ୍ଣ ହୋଇଥାଏ । ଯେପରି ଅଗ୍ନି ଉପରେ ଜଳଭାଣ୍ଡ ଥିଲେ ସେ ଜଳରେ ଉତ୍ତାପ ଜନ୍ମିଥାଏ, ତତ୍ତୁଲ୍ୟ ଉଷ୍ଣପ୍ରସ୍ରବଣର ଜଳ ଉତ୍ତପ୍ତ ହୋଇଥାଏ । ମାତ୍ର ଧାତ୍ୱଂଶର ନ୍ୟୂନାଧିକ୍ୟ ହେତୁରୁ ଉଷ୍ଣତାର ହ୍ରାସ ବୃଦ୍ଧି ପ୍ରକାଶ ହୁଏ । ସେହି ଉଷ୍ଣ ପ୍ରସବଣର ଜଳକୁ ଆଘ୍ରାଣ କଲେ ଗନ୍ଧକର ଗନ୍ଧ ପ୍ରକଟ ହୁଏ, ଏପରି ଉଷ୍ଣ ପ୍ରସ୍ରବଣ ଏତଦ୍ଦେଶରେ ଗଡ଼ଜାତ ମଧ୍ୟରେ ଖୋରଧା ଅଞ୍ଚଳରେ ଅଟରି ନାମକ ସ୍ଥାନରେ ପ୍ରକାଶିତ ହୋଇଅଛି । ତାହାକୁ ହିନ୍ଦୁଧର୍ମାବଲମ୍ୱିମାନେ ପୁଣ୍ୟତୀର୍ଥ ବୋଲି ଗଣନା କରନ୍ତି । ମଧ୍ୟ ଅନେକାନେକ ପୁଷ୍ଣରିଣୀମାନଙ୍କରେ ଗ୍ରୀଷ୍ମକାଳରେ ଜଳର ଉକ୍ତ ରୂପ ଗନ୍ଧ ଜଣାଯାଏ । ସେହି ସମୟରେ ଜଳଜନ୍ତୁମାନେ ବଉଳିଉଠି ସ୍ୱ ଇଚ୍ଛାରେ ମୃତ ହୁଅନ୍ତି, ଏହା ଅନେକ ସ୍ଥାନରେ ଦେଖା ଯାଇଅଛି ।

Image

 

ମହୁରା

 

ମହୁରା ନାମରେ ଏକ ଉଦ୍ଭିଜ୍ଜ ପଦାର୍ଥ ଅଛି, ସେ ଏକ ବୃକ୍ଷର ଚେର ବୋଲି କହନ୍ତି ଓ ତାହା ଦେଖିବାରେ ବୋଧ ହୁଏ ଯେ, ସେ ବୃକ୍ଷର ଅଂଶ ବିନା ଅନ୍ୟ କିଛି ନୁହେ । ତାହାକୁ ଖାଇଲେ ତତ୍କାଳରେ ପ୍ରାଣିମାନେ ମରିଯାନ୍ତି, ମାତ୍ର କୌଣସି ଉପାୟଦ୍ୱାରା ସଂଶୋଧନ କରି ତହିଁରୁ ବିଷାଂଶ ବାହାର କରିଦେଲେ ସେ ଔଷଧ ମଧ୍ୟରେ ଗଣନା ହୁଏ । ମହୁରାକୁ ସମସ୍ତ ଦେଶୀୟ ବଣିକମାନେ କ୍ରୟ ବିକ୍ରରେ ବ୍ୟବହାର କରନ୍ତି ।

Image

 

ପତି ଓ ଅହିଫେନ

 

ପତି ଏକପ୍ରକାର ଉଦ୍ଭିଜ୍ଜ ପଦାର୍ଥ, ସର୍ବସାଧାରଣରେ ପ୍ରାପ୍ତ ହୁଏ; ତାହାର ପତ୍ରକୁ ସିଦ୍ଧି ଅର୍ଥାତ୍‌ ଭାଙ୍ଗ କରି କେତେକ ମନୁଷ୍ୟ ଖାନ୍ତି, ତାହା ମାଦକତାଜନକ, ତାକୁ ଖାଇବାର କିଛିକ୍ଷଣ ପରେ ମନୁଷ୍ୟକୁ ଅଚେଷ୍ଠିତ କରିଦିଏ ଏବଂ ହିତାହିତ ଜ୍ଞାନ ରଖେ ନାହିଁ । ଯେଉଁମାନେ ସିଦ୍ଧି ଖାନ୍ତି, ସେମାନେ ସର୍ବସାଧାରଣ ସମାଜରେ ଦୂଷଣୀୟ ବୋଲି ଗଣ୍ୟ ହୁଅନ୍ତି, ମଧ୍ୟ ସିଦ୍ଧିଖାଦକମାନଙ୍କୁ ସମୟାନୁସାରେ ସିଦ୍ଧି ନ ମିଳିଲେ ବାତୁଳ ପ୍ରାୟ ଇତସ୍ତତଃ ଭ୍ରମ୍ୟମାଣ ହୋଇ ତାହାର ଅନ୍ୱେଷଣରେ ବୁଲୁଥାନ୍ତି, ସେ ସମୟରେ ଅନ୍ୟ କିଛି ସାଂସାରିକ ବିଷୟରେ ଦୃଷ୍ଟି ରଖନ୍ତି ନାହିଁ, କାହାରିଦ୍ୱାରା କିଛି ତହିଁରୁ ପ୍ରାପ୍ତ ହେଲେ କୋଟିରତ୍ନ ପ୍ରାପ୍ତିରୁ ଅଧିକ ଜ୍ଞାନ କରନ୍ତି ।

 

କିନ୍ତୁ ସଭ୍ୟବ୍ୟକ୍ତିମାନଙ୍କର ସିଦ୍ଧି ସେବନ କରିବା ସର୍ବତୋଭାବରେ ଅବିଧେୟ । ଅତଏବ ଉତ୍ତମ ବ୍ୟକ୍ତିମାନେ ସିଦ୍ଧିଭକ୍ଷଣକୁ ଘୃଣିତ କର୍ମ ବୋଲି ପ୍ରକାଶ କରନ୍ତି । ଏହି ସିଦ୍ଧିର ମୁକୁଳକୁ ଗଞ୍ଜେଇ ବୋଲାଯାଏ, ତାକୁ ଧୂମ କରି କେହି କେହି ଖାନ୍ତି; ଗଞ୍ଜେଇ ମଧ୍ୟ ସେହିପରି ଉନ୍ମାଦଜନକ ଏବଂ ଅନିଷ୍ଟକର ବୋଲି ଜାଣିବାକୁ ହେବ ।

 

ଅହିଫେନ ଏକ ଉଦ୍ଭିଜ୍ଜର କ୍ଷୀର, ଦେଖିବାକୁ କୃଷ୍ଣବର୍ଣ୍ଣ ଓ ଦୁର୍ଗନ୍ଧ, ଖାଇଲେ ମାଦକତା ଜାତ ହୁଏ । କୌଣସି ପୀଡ଼ା ଅବା ରୋଗ ଜନ୍ମିଲେ ଅହିଫେନ ଭକ୍ଷଣଦ୍ୱାରା ତାହାର ସ୍ୱାସ୍ଥ୍ୟ ଜନ୍ମେ; କିନ୍ତୁ ଯେଉଁମାନେ ନିୟମିତ ରୁପେ କିଛିଦିନ ଏହା ସେବନ କରନ୍ତି, ପୁନଶ୍ଚ ଆଉ ତ୍ୟାଗ କରି ପାରନ୍ତି ନାହିଁ, ତ୍ୟାଗ କଲେ ନାନାବିଧ ରୋଗ ଜନ୍ମି ବହୁତ ଅନିଷ୍ଟ ଘଟେ । ଅହିଫେନ ଖାଦକମାନେ ସ୍ନିଗ୍ଧ ପଦାର୍ଥ ବିନା ରୁକ୍ଷ ପଦାର୍ଥ ଭୋଜନ କରି ପାରନ୍ତି ନାହିଁ ଏବଂ କ୍ରମେ କ୍ରମେ କୃଶତାକୁ ଲଭନ୍ତି । ଅତଏବ ସୁଖାମୋଦରେ ଅହିଫେନ ସେବନ କରିବା କଦାଚ ବିଧେୟ ନୁହେ ।

Image

 

ମଦ୍ୟ

 

ମଦ୍ୟ ନାନାବିଧ ହୁଏ । ଏକ ପ୍ରକାର ମଦ୍ୟ ଖର୍ଜୁରାଦି ବୃକ୍ଷରୁ ଜନ୍ମେ, ଏହାକୁ ତାଡ଼ି ବୋଲି ସର୍ବସାଧାରଣରେ କହନ୍ତି; ଆଉ ଏକପ୍ରକାର ମଦ୍ୟ ତଣ୍ଡୁଲ, ଶର୍କରା, ଦୁଗ୍ଧ ଇତ୍ୟାଦି ପରିପାକରୁ ଜନ୍ମେ । ସେ ତିନିପ୍ରକାର; ଯଥା-ଗୌଡ଼ୀ, ପୈଷ୍ଠୀ, ମାଧ୍ୱୀ । ଏହି ତିନିପ୍ରକାର ମଦ୍ୟ ଭାରତବର୍ଷମଧ୍ୟରେ ଦେଶଭେଦରେ ପ୍ରଚଳିତ ହେଉଅଛି ଏବଂ ଅନ୍ୟାନ୍ୟ ଦେଶମାନଙ୍କରୁ ଅନ୍ୟ ପ୍ରକାର ମଦ୍ୟ ସକଳ ବିକ୍ରୟାର୍ଥେ ଏ ଦେଶକୁ ଆସୁଅଛି । ଏ ସମସ୍ତ ମଦ୍ୟ ଅତିଶୟ ମାଦକତାଜନକ । ଉପରଲିଖିତ ମାଦକ ଦ୍ରବ୍ୟ ସକଳ ଅପେକ୍ଷା ଏହାର ମାଦକତା କେତେ ଅଂଶରେ ଅଧିକ, ତାହାର ଅନୁଭବୀ ବ୍ୟତିରେକେ ଅନ୍ୟ କେହି ଜାଣି ପାରିବାର କଠିନ; ଯେହେତୁ ଅନ୍ୟାନ୍ୟ ମାଦକପଦାର୍ଥ ସକଳର ଖାଦକମାନେ ହତଜ୍ଞାନ ହୋଇ ବାଟ ଘାଟରେ ପତିତ ହେବାର କିମ୍ୱା ନାନା ନିନ୍ଦ୍ୟକର୍ମ କରିବାର ଦେଖା ନାହିଁ । କିନ୍ତୁ ମଦ୍ୟାଶିମାନେ ମଦ୍ୟପାନ କରି ରାଜମାର୍ଗରେ ଅଜ୍ଞାନ ଅବସ୍ଥାରେ ପତିତ ହେବାର ଏବଂ ବାତୁଳ ପ୍ରାୟ ଭ୍ରମଣକରିବାର ଅନେକାନେକ ଦେଖାଯାଇଅଛି ଏବଂ ଶୁଣା ଯାଇଅଛି । ଅତଏବ ବୋଧହୁଏ ଯେ, ସମସ୍ତ ମାଦକଦ୍ରବ୍ୟମାନଙ୍କ ମଧ୍ୟରେ ମଦ୍ୟ ଗରୀୟାନ୍‌ ଅଟେ । କିନ୍ତୁ ସଦୃଂଶଜାତ ସୁବୋଧ ପାଠକମାନଙ୍କର କୌଣସି ମାଦକ ଦ୍ରବ୍ୟ ସେବନ କରିବାର ଉଚିତ ନୁହେ । ଅତଏବ ବାଳକମାନଙ୍କର ଉଚିତ ଯେ ଆପଣାର ମନୋବଚନ କର୍ତ୍ତବ୍ୟ ଏବଂ ଯତ୍ନଦ୍ୱାରା ମାଦକପଦାର୍ଥ ସେବନ ପରିତ୍ୟାଗ କରିବେ । ତାହା କଲେ ସର୍ବସାଧାରଣ ସଭ୍ୟସମାଜରେ ଆଦରିଣୀୟବର୍ଗଙ୍କ ମଧ୍ୟରେ ଗଣ୍ୟ ହୋଇ ବିଦ୍ୟା ବୁଦ୍ଧିର ପ୍ରକାଶପୂର୍ବକ ପ୍ରଶଂସାର ଯୋଗ୍ୟ ହେବେ ।

Image

 

ପରିଶ୍ରମ

 

ପରିଶ୍ରମଦ୍ୱାରା ଆମ୍ଭମାନଙ୍କର ଯାବନ୍ତ ବ୍ୟବହାରୀୟ ପଦାର୍ଥ ଉତ୍ପନ୍ନ ହୁଏ, ଅତଏବ ମନୁଷ୍ୟମାନଙ୍କର ସ୍ୱପରିଶ୍ରମଦ୍ୱାରା ସକଳ ପଦାର୍ଥର ଉତ୍ପତ୍ତି କରି ତବ୍ଦ୍ୟବହାରରେ ସୁଖସ୍ୱଚ୍ଛନ୍ଦରେ କାଳଯାପନ କରିବା କର୍ତ୍ତବ୍ୟ । ପରିଶ୍ରମ ନ କରି ଭିକ୍ଷାଦ୍ୱାରା କେତେକ ବ୍ୟକ୍ତି କାଳହରଣ କରନ୍ତି; କିନ୍ତୁ ଭିକ୍ଷା ବଡ଼ ନୀଚବୃତ୍ତି, ଯେଉଁମାନେ ମାଗିବାକୁ ଯାନ୍ତି, ସେମାନଙ୍କୁ କେହି ସମ୍ମାନ କରେ ନାହିଁ ଏବଂ ଦେଖିଲେ ଘୃଣିତଜ୍ଞାନ କରି ନିକଟରୁ ଦୂର କରି ଦିଅନ୍ତି । କେହି ଅବା ଅନୁଗ୍ରହ କରି ମୁଠାଏ ତଣ୍ଡୁଳ କିମ୍ୱା ଗୋଟିଏ ପଇସା ଏହିପରି ଅଳ୍ପପଦାର୍ଥ ଦେଇ ଦୂରକରି ଦିଅନ୍ତି । କେହି ଅବା ଅନୁଗ୍ରହ କରି ମୁଠାଏ ତଣ୍ଡୁଳ କିମ୍ୱା ଗୋଟିଏ ପଇସା ଏହିପରି ଅଳ୍ପପଦାର୍ଥ ଦେଇ ଦୂରକରି ଦିଅନ୍ତି । ଆଉ ମଦ୍ୟ ମାଗିବା ସମୟରେ ଆପଣାର ମାନ, ମର୍ଯ୍ୟାଦା ଇତ୍ୟାଦିର ମୂଲୋତ୍ପାଟନ କରି ଦୀନତା ସ୍ୱୀକାର କରିବାକୁ ହୁଏ । ଅତଏବ ହେ ସୁବୋଧ ବାଳକମାନେ ! ବିଦ୍ୟା କିମ୍ୱା ବ୍ୟବସାୟରେ ପରିଶ୍ରମପୂର୍ବକ ଯାହା ଲାଭ କରିବ, ତାହାଦ୍ୱାରା ଆପଣାର ସଂସାରଯାତ୍ର । ଉତ୍ତମରୂପେ ନିର୍ବାହ କରି ଭିକ୍ଷାବୃତ୍ତିର ମସ୍ତକରେ ବାମଚରଣର ଆଘାତ ଦେଇ ସର୍ବ ସମ୍ମାନାସ୍ପଦ ହୁଅ ।

Image